Site icon Ethara Sambhala

କାମ ନକରି ମନରେଗାରେ ଉଠୁଛି ଟଙ୍କା …!

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର/ଭୁବନେଶ୍ୱର)- ଗରିବଙ୍କୁ କାମ ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା) ଆରମ୍ଭ କରିଥିଲେ। ହେଲେ ଏହି ଯୋଜନାରେ ଏବେ ହୋଇଛି ବଡ଼ ଧରଣର ଘୋଟାଲା। କାମ କରିନଥିବା ହିତାଧିକାରୀଙ୍କ ନାଁରେ ବ୍ୟାଙ୍କରୁ ଉଠୁଛି ଟଙ୍କା। ଆଜି ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଖଲିକୋଟ ବ୍ଲକ ବଧିନୂଆପଲ୍ଲି ଗାଁର ଝୁନୁ ରାଉତ। ତାଙ୍କ ସ୍ୱାମୀ ନରସିଂହ ଦୀର୍ଘ ବର୍ଷ ହେଲା ବାହାର ରାଜ୍ୟରେ କାମ କରୁଛନ୍ତି। ତେବେ ତାଙ୍କୁ ମନରେଗାର ହିତାଧିକାରୀ ଦର୍ଶାଇ ଉଠିଛି ହଜାର ହଜାର ଟଙ୍କା। ତାଙ୍କ ଘରେ କାହାରି ନାଁରେ ବ୍ୟାଙ୍କ ଖାତାନାହିଁ। କେହି କେବେ ମନରେଗାରେ କାମ ମଧ୍ୟ କରିନାହାନ୍ତି। ତେବେ ନରସିଂହ ନାଁରେ ଖାତା ଖୋଲାଯାଇ ଟଙ୍କା ହଡପ୍‌ ହୋଇଛି। ଅନ୍‌ଲାଇନ୍‌ରେ ଚେକ କରିବାରୁ ସେ ଏହି ଘୋଟାଲା ବିଷୟରେ ଜାଣିବାକୁ ପାଇଥିବା କହିଛନ୍ତି ତାଙ୍କ ପୁଅ ଯଜ୍ଞେଶ୍ୱର। ତେବେ ଏହି ଗୋଟିଏ ଅଭଯୋଗ ନୁହେଁ ଖଲିକୋଟ ବ୍ଲକରେ ଏମିତି ଚଞ୍ଚକତା କରି ଶହ ଶହ ମନରେଗା ହିତାଧିକାରୀଙ୍କ ନାଁରେ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ମନରେଗା ଅର୍ଥ ହରିଲୁଟ୍ ପାଇଁ ଏଠି ହୋଇଛି ବଡ଼ ଧରଣର କାରସାଦି। ହିତାଧିକାରୀ କାମ କରୁନଥିଲେ ମଧ୍ୟ ସେମାନଙ୍କଠୁ ଜବ୍‌କାର୍ଡ ନେଇ ବ୍ୟାଙ୍କରେ ଖାତା ଖୋଲାଯାଇଛି। ସେହିପରି ଟଙ୍କା ଆସିଲେ ଏମାନଙ୍କୁଠୁ ଟିପ ଚିହ୍ନ ନେଇ ଟଙ୍କା ଉଠାଇ ନିଆଯାଉଛି। ପ୍ରତି ବଦଳରେ କାର୍ଡ ପିଛା ଥରକେ ୧୦୦ ଟଙ୍କା ଲେଖାଏଁ ଦିଆଯାଉଛି। ସ୍ଥାନୀୟ ଓ୍ୱାର୍ଡ ମେମ୍ବର ଏହି ବେଆଇନ କାମରେ ଲିପ୍ତ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଏପଟେ ଜବକାର୍ଡଧାରୀ କାମ କରିନାହାନ୍ତି। ମାତ୍ର ସେମାନଙ୍କ ନାଁରେ ଜାଲିଆତି କରି ଟଙ୍କା ଉଠୁଛି। ତେଣୁ ଏଠି ପ୍ରଶ୍ନ ଉଠୁଛି, ବିନା କାମରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ହେଉଛି କେମିତି? କାମର ସ୍ଥିତି ନପରଖି ପ୍ରଶାସନ ବିଲ୍‌ କରୁଛନ୍ତି କେମିତି ? ଖଲିକୋଟ ବ୍ଲକ ମନରେଗା ମହାଘୋଟାଲା ପଛରେ ବଡ଼ ଧରଣର ରାକେଟ କାମ କରୁଥିବା ଅଭିଯୋଗ ହେଉଛି। ତେବେ ଓ୍ୱାର୍ଡମେମ୍ବର ଟୁଲୁ ବାରିକ ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିପରି କାମର ଅଗ୍ରଗତିକୁ ଦେଖି ବିଲ ହେଉଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

Exit mobile version