ଟିଏମସି ନେତାଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ଜାରି ରହିଛି। କ୍ଷମତାସୀନ ଟିଏମସର ଏକାଧିକ ବିଧାୟକ ଓ ନେତା ବିଜେପିରେ ମିଶିବାରେ ଲାଗିଛନ୍ତି। ବିଜେପିର ଶୀର୍ଷସ୍ତରୀୟ ନେତା ଏଥିରେ ଖୁସି ଥିବା ବେଳେ ଦଳ ପାଇଁ ତୃଣମୂଳସ୍ତରରେ କାମ କରୁଥିବା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ପ୍ରଶମିତ କରିବା ପାଇଁ ଏବେ ବିଜେପି ନୂଆ ଫର୍ମୁଲା ଆପଣାଇବାକୁ ନିଷ୍ପତ୍ତି ନେଇଛି। ଟିଏମସି ନେତାଙ୍କ ପାଇଁ ଦଳ ନିଜର ଦ୍ୱାର ବନ୍ଦ କରିଦେଇଛି। ଏହାର ଅର୍ଥ ଆଗକୁ ଆଉ ଟିଏମସି ଛାଡ଼ୁଥିବା ନେତାଙ୍କୁ ବିଜେପି ସିଧାସଳଖ ଓ ଆଖିବନ୍ଦ କରି ଗ୍ରହଣ କରିବ ନାହିଁ। ବିଜେପିର ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା କହିଛନ୍ତି, ଆମେ ଟିଏସିର ବି-ଟିମ୍‌ ହେବାକୁ ଚାହୁଁନାହୁଁ। ସ୍ୱଚ୍ଛ ଛବି ନଥିବା ଟିଏମସି ନେତାଙ୍କୁ ବିଜେପିର ସାମିଲ କଲେ, ଲୋକେ ଆମକୁ ଟିଏମସିର ବି ଟିମ୍‌ କହିବେ। ଯେଉଁମାନଙ୍କ ନାଁରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ସାଂଘାତିକ ଅଭିଯୋଗ ରହିଛି, ସେଭଳି ଲୋକଙ୍କୁ ଆମେ ଦଳରେ ସାମିଲ କରିବାକୁ ଚାହୁଁନାହୁଁ। ତେଣୁ ଆଗକୁ ଆଉ ଗଣ ମିଶ୍ରଣ ହେବନାହିଁ। ଏବେ ଠାରୁ ମିଶ୍ରଣ ପୂର୍ବରୁ ଭଲ ଭାବେ ଯାଞ୍ଚ କରାଯିବ ଓ ସ୍ୱଚ୍ଛ ଛବି ଥିବା ଲୋକଙ୍କୁ ହିଁ ବିଜେପିରେ ସାମିଲ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଉ ଜଣେ ବରିଷ୍ଠ ନେତା ନିଜ ନାଁ ଗୁପ୍ତ ରଖି କହିଛନ୍ତି, ଟିଏମସି ନେତା ଓ ବିଧାୟକ ଦଳରେ ସାମିଲ ହେବାର ପ୍ରକ୍ରିୟା ଜାରି ରହିଛି। ଏଥିଯୋଗୁ ବିଜେପି ମଧ୍ୟରେ ଦଳୀୟ ଅସନ୍ତୋଷ ବୃଦ୍ଧି ପାଇଛି। ଏକାଧିକ ଗଣ ମିଶ୍ରଣକୁ ନେଇ ଜିଲ୍ଲା ସ୍ତରୀୟ ବିଜେପି ନେତା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ମଧ୍ୟ ଏହି ଖବର ପହଞ୍ଚିଛି। ଏହାକୁ ପ୍ରଶମିତ କରିବା ପାଇଁ ଏବେ ଶୀର୍ଷସ୍ତରୀୟ ନେତା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ଏଣିକି ଅନ୍ୟ ଦଳର ନେତା ଓ କର୍ମୀ ଯଦି ବିଜେପିରେ ମିଶିବେ, ତା’ହେଲେ ଏହାର ନିଷ୍ପତ୍ତି କେନ୍ଦ୍ରରେ ଥିବା ନେତା ନେବେ। ଏଥିସହ ଜିଲ୍ଲାସ୍ତରୀୟ ଦଳୀୟ ନେତାଙ୍କ ଠାରୁ ମିଶ୍ରଣ ପର୍ବ ପୂର୍ବରୁ ଏନଓସି ମଧ୍ୟ ଅଣାଯିବ। ଯଦି ବିଜେପିରେ ମିଶିବାକୁ ଥିବା ଅନ୍ୟ ଦଳର ନେତାଙ୍କୁ ଜିଲ୍ଲାସ୍ତରୀୟ ଦଳୀୟ କର୍ମୀ ବିରୋଧ କରୁଛନ୍ତି, ତା’ହେଲେ ତାଙ୍କୁ ପଦ୍ମ ଧରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଦୁର୍ନୀତି ଅଭିଯୋଗରେ ଫସିଥିବା ଏକାଧିକ ଟିଏମସି ନେତା ବିଜେପିରେ ମିଶିବାର ନଜିର ରହିଛି। ଏଥିଯୋଗୁ ଅନେକ ସମୟରେ ବିଜେପି ବିରୋଧୀଙ୍କ ସମାଲୋଚନାର ଶିକାର ମଧ୍ୟ ହୋଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦାଗକୁ ଲିଭାଇବା ଓ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାକୁ ବିଜେପି ଏଭଳି ପଦକ୍ଷେପ ନେଇଥିବା ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *