ଚାଷୀଙ୍କ ପାଇଁ କଣ୍ଟାର ରାସ୍ତା; ପଚାରିବାରୁ ରାଗିଗଲେ ଦିଲ୍ଲୀ ପୁଲିସ୍‌ କମିଶନର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଶହଶହ ଚାଷୀଙ୍କ ପାଇଁ ପୁଲିସ୍‌ ପକ୍ଷରୁ ଅଭେଦ୍ୟ ଦୁର୍ଗ ପ୍ରସ୍ତୁତ କରାଯାଇଛି। ଗାଜିପୁର, ସିଙ୍ଘୁ ଓ ଟିକରି ସୀମାର ରାସ୍ତାରେ ପୁଲିସ୍‌ ଚାଷୀଙ୍କ ବାଟ ଓଗାଳିବାକୁ ସିମେଣ୍ଟର ଅସ୍ଥାୟୀ କାନ୍ଥ, ଲୁହା ବାଡ଼ ଓ ରାସ୍ତାରେ କଣ୍ଟା ବିଚାଇଛି। ୧୨ ସ୍ତରୀୟ ବ୍ୟାରିକେଡ୍‌ ବ୍ୟବସ୍ଥାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଦିଲ୍ଲୀ ପୁଲିସ୍‌ କମିଶନର ଏସଏନ ଶ୍ରୀବାସ୍ତବକୁ ପ୍ରଶ୍ନ କରାଯିବାରୁ ସେ ରାଗି ଯାଇଛନ୍ତି। ଏଥିସହ ଜାନୁଆରୀ ୨୬ କଥା ମଧ୍ୟ ଦୋହରାଇଛନ୍ତି। ସେ କହିଛନ୍ତି, ଜାନୁଆରୀ ୨୬ ଦିନ ଯେତେବେଳେ ପୁଲିସ୍‌ ଉପରେ ଆକ୍ରମଣ ହେଉଥିଲା, ସେଦିନ କେହି ତ ପ୍ରଶ୍ନ କରୁ ନଥିଲେ? ଆଜି କାହିଁକି ପ୍ରଶ୍ନ କରାଯାଉଛି ? ଜାନୁଆରୀ ୨୬ରେ ପୁଲିସ୍‌ ଉପରେ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ ହୋଇଥିଲା, ପୁଲିସକୁ ଆକ୍ରମଣ କରାଯାଇଥିଲା ଓ ବ୍ୟାରିକେଡ୍‌ ସବୁ ଭଙ୍ଗା ଯାଇଥିଲା। କିନ୍ତୁ କେହି ବି ଏହା ଉପରେ ପ୍ରଶ୍ନ ଉଠାଇ ନଥିଲେ। ଏହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି। ପୁଲିସ୍‌କୁ ଆକ୍ରମଣ କରାଯିବା ପରେ ଆମେ ଆଉ କ’ଣ କରିପାରି ଥାଆନ୍ତୁ? ଆମେ କେବଳ ବ୍ୟାରିବେଡ୍‌କୁ ଅଧିକ ସଶକ୍ତ କରିଛୁ। ଏହା ଯେମିତି ଆଗକୁ ନ ଭାଙ୍ଗିବ ତା’ର ବ୍ୟବସ୍ଥା କରିଛୁ ବୋଲି ଏସଏନ ଶ୍ରୀବାସ୍ତବ ବେଶ ଉଚ୍ଚା ସ୍ୱରରେ କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‌ ଚାଷୀ ଆନ୍ଦୋଳନକୁ ଦେଖି ହାତରେ ଷ୍ଟିଲ ଲାଠି ଓ ଢାଲ ପରିନ୍ଧାନ କରିବା ଘଟଣା ଉପରେ ମଧ୍ୟ କମିଶନର ଏସଏନ ଶ୍ରୀବାସ୍ତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଷ୍ଟିଲର ଲାଠି ଦିଲ୍ଲୀ ପୁଲିସ୍‌ର ଅସ୍ତ୍ର ନୁହେଁ। ମୁଁ ଜାଣିନି ସେସବୁ କ’ଣ ଥିଲା। ଦିଲ୍ଲୀ ପୁଲିସ୍‌ କେବେ ହେଲେ ଏଭଳି ଲାଠିକୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରିନାହିଁ ବୋଲି ସେ କହିଛନ୍ତି। 

Leave a Reply

Your email address will not be published. Required fields are marked *