‘ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ଗାଁକୁ ଆଦର୍ଶ ଗ୍ରାମ କରାଯିବ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ’ ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-“ଆଜି ହେଉଛି ଏକ ପବିତ୍ର ଦିନ। ଆଜିର ଦିନରେ ଦୁଇ ଜଣ ବରପୁତ୍ର ଜନ୍ମଗ୍ରହଣ କରିଥିଲେ। କଟକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ। ପରାଧୀନ ଦେଶବାସୀଙ୍କୁ ସ୍ୱାଧୀନ କରିବା ପାଇଁ ସୁରେନ୍ଦ୍ର ସାଏ ଜେଲ ଯାଇଥିଲେ। ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନରେ ଏକ ପ୍ରେରଣା ମନ୍ଦିର ନିର୍ମାଣ କରାଯିବ। ଏହି ପ୍ରେରଣା ମନ୍ଦିର ପରବର୍ତ୍ତୀ ପିଢିଙ୍କୁ ଦେଶପ୍ରେମରେ ଉଦ୍‌ବୃଦ୍ଧ କରିବ। ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ଗାଁକୁ ଆଦର୍ଶ ଗ୍ରାମ କରାଯିବ।” ଖିଣ୍ଡା ଗାଁରେ ବୀର ସୁରେନ୍ଦ୍ର ସାଏ ଦାୟାଦଙ୍କୁ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖିଣ୍ଡା ଗାଁକୁ ଯିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ-“୨୦୧୮ ସେପ୍ଟେମ୍ୱର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ବିମାନବନ୍ଦରକୁ ଏ ମାଟିର ବରପୁତ୍ର ଓ ଶୌର୍ଯ୍ୟର ପ୍ରତୀକ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆ ଜାତିକୁ ସମ୍ମାନିତ କରିଥିଲେ। ସ୍ୱାଧୀନତା ସଂଗ୍ରାମକୁ ଝାସ୍‌ ଦେଇଥିବା ବୀର ସୁରେନ୍ଦ୍ର ସାଏ ସର୍ବାଧିକ ବର୍ଷ ଜେଲରେ ରହିଥିବା ସଂଗ୍ରାମୀମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ଜନ୍ମସ୍ଥାନକୁ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳି କରିବା ପାଇଁ ଏଠାରେ ସବୁ ପ୍ରକାର ବ୍ୟବସ୍ଥା ରହିଥିବା ବେଳେ ଏଥିପାଇଁ ସମସ୍ତେ ସାମୂହିକ ଉଦ୍ୟମ କରିବା ଦରକାର।”ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ଝାରସୁଗୁଡ଼ାରେ ଅନେକ ଖଣିଜ ସମ୍ୱଳ ରହିଛି। ଏଥିସହ ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବାର ଅପାର ସମ୍ଭାବନା ରହିଛି। ମୋଦି ସରକାର ଏହି ଅଞ୍ଚଳର ଅର୍ଥନୀତି ଓ ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ବଦ୍ଧ ପରିକର।” ଉଲ୍ଲେଖନୀୟ ଯେ, ଏହି ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ଅପରପକ୍ଷରେ ପ୍ରତିମୂର୍ତି ଉନ୍ମୋଚନ କରିବା ପରେ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କୁ ଜନ୍ମସ୍ଥାନ ସମ୍ୱଲପୁର ଜିଲ୍ଲା ଖିଣ୍ଡାକୁ ଯାଇ ତାଙ୍କ ଦାୟଦମାନଙ୍କୁ ଭେଟି ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *