ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ସି-ସୋର ଚିଟଫଣ୍ଡ ଦୁର୍ନୀତିର ଅଭିଯୁକ୍ତ ସରୋଜ କୁମାର ସାହୁଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ ସଚିବ ତଥା ଅବସରପ୍ରାପ୍ତ ପ୍ରଶାସକ ଡଃ ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ଛାଇର ଶବ୍ଦ’କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ୮୩ଟି କବିତା ସ୍ଥାନ ପାଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ଓ ଜୀବନର ବୈଚିତ୍ର‌୍ୟ ଉପରେ ଏହି ସବୁ କବିତା ଆଧାରିତ ବୋଲି ଜଣାପଡ଼ିଛି। ସେହିପରି ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଏକାଧିକାର ଜେରାର ସମ୍ମୁଖୀନ ହୋଇଥିବା ସରୋଜ କୁମାର ସାହୁଙ୍କ ରଚିତ ଗଳ୍ପଗୁଚ୍ଛ ‘ସୂର୍ଯ୍ୟାସ୍ତ ପୂର୍ବରୁ’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏଥିରେ ୩୦ଟି ଗଳ୍ପ ସ୍ଥାନିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଭୟ ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକ ଦୁଇଟି ପାଠକୀୟ ଆଦର ଲାଭ କରିବ ବୋଲି ଆଶା କରିଛନ୍ତି। ତେବେ, କୋଟିକୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତିରେ ଅଭିଯୁକ୍ତ ଥିବା ଶ୍ରୀ ସାହୁ ଏବେବି ସିବିଆଇ ସ୍କାନରରେ ରହିଥିବାବେଳେ ମୁଖ୍ୟମନ୍ତ୍ରୀ କିଭଳି ତାଙ୍କର ପୁସ୍ତକକୁ ଉନ୍ମୋଚନ କଲେ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। 

LEAVE A REPLY

Please enter your comment!
Please enter your name here