ଏଥର ନିଜ ନିଜ ସ୍କୁଲ୍‌ରେ ମ୍ୟାଟ୍ରିକ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଏବର୍ଷ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲ୍‌କୁ ଯିବାକୁ ପଡ଼ିବନି। ସେମାନେ ନିଜ ସ୍କୁଲ୍‌ରେ ହିଁ ଦେବେ ପରୀକ୍ଷା। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଥର ମ୍ୟାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ଦିଆଯିବ। ସେହିପରି ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ପରୀକ୍ଷା ଦେଲେ ବି ସେହି ସ୍କୁଲ୍‌ର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ। ଅନ୍ୟ ସ୍କୁଲ୍‌ର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ। ଯାହା ସୂଚନା ମିଳିଛି, କରୋନାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ନିଜ ସ୍କୁଲ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ସ୍କୁଲ୍‌ରେ ପରୀକ୍ଷା ହେଲେ ରହିବା ଓ ଯାତାୟାତରେ ସମସ୍ୟା ଦେଖାଯାଇପାରେ। ଏହି ଆଶଙ୍କା କରି ଏମିତି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। କରୋନା ପାଇଁ ସ୍କୁଲ୍ ଗୁଡ଼ିକ ବନ୍ଦ ରହିଥିବା ବେଳେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍କୁଲ୍ ଖୋଲା ଯାଇଛି। ସେମାନଙ୍କର ୧୦୦ ଦିନ କ୍ଲାସ ହେବ। ଶନିବାର ଓ ରବିବାର ବି ପାଠପଢ଼ା ହେଉଛି। କରୋନା କଟକଣା ମଧ୍ୟରେ ଏସ୍‌ଓପି ପାଳନ କରି ସ୍କୁଲ୍‌ଗୁଡ଼ିକରେ ପାଠପଢ଼ା ହେଉଛି। କେବଳ ପାଳନ କରାଯାଉଥିବା ପର୍ବପର୍ବାଣୀଗୁଡ଼ିକରେ ସ୍କୁଲ୍ ବନ୍ଦ ରହିବ। ତେବେ କରୋନା ପାଇଁ ସ୍କୁଲ୍ ବନ୍ଦ ରହିଥିବା ବେଳେ ଅନ୍‌ଲାଇନ୍‌ରେ କ୍ଲାସ୍ ହେଉଥିଲା। ସୂଚନାଯୋଗ୍ୟ, ମେ’ ୩ ତାରିଖରୁ ମ୍ୟାଟ୍ରିକ୍ ପରୀକ୍ଷା ହେବ। ଏଥର ପ୍ରାୟ ସାଢ଼େ ୬ ଲକ୍ଷ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ଦେବେ।

Leave a Reply

Your email address will not be published. Required fields are marked *