ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ସଂଗଠନଗୁଡ଼ିକ ସମୟ ଆସିଲେ ନିଶ୍ଚିତ ଏହାକୁ ବୁଝି ପାରିବେ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ଆସନ୍ତାକାଲି ଚାଷୀ ସଂଗଠନ ଗୁଡ଼ିକ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଶ୍ରୀ ତୋମାର ଏଭଳି ବୟାନ ଦେଇ ପୁଣିଥରେ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥ ପାଇଁ ତିଆରି ହୋଇଥିବା ବୁଝାଇବାକୁ ଚେଷ୍ଟା କରିଛନ୍ତି।ସେ କହିଛନ୍ତି, ଭାରତ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଆମେ କୃଷି ଆଇନକୁ ସମର୍ଥନ କରୁଥିବା ଓ ବିରୋଧ କରୁଥିବା ଚାଷୀ ସଂଗଠନର ସଦସ୍ୟଙ୍କୁ ଭେଟିଛୁ। କୃଷି ଆଇନ ଆସିବା ପଛର କାରଣ ନିଶ୍ଚିତ ଭାବେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଗୁଡ଼ିକ ବୁଝିପାରିବେ। ସେମାନେ ନିଶ୍ଚିତ ଚାଷୀଙ୍କ କଲ୍ୟାଣ କଥା ଭାବିବେ ଓ ସକାରାତ୍ମକ ଆଭିମୁଖ୍ୟ ନେଇ ଆଲୋଚନାକୁ ଆସିବେ ବୋଲି ସେ କହିଛନ୍ତି।କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ବିରୋଧ ନଭେମ୍ବର ୨୬ରୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମନେଇବାକୁ ସରକାର ୭ଥର ବୈଠକ କରି ସାରିଲେଣି। ହେଲେ ଏହି ବୈଠକଗୁଡ଼ିକରେ କୌଣସି ନିଷ୍କର୍ସ ବାହାରି ପାରୁନାହିଁ।ସୋମବାର ଶେଷ ବୈଠକ ବସିଥିଲା। ଏହି ସମୟରେ ଚାଷୀମାନେ କୃଷି ଆଇନକୁ ଉଚ୍ଛେଦ କରିବାକୁ ଦାବି କରିଥିଲେ। ହେଲେ ସରକାର ଏହାକୁ ରୋକଠୋକ ମନା କରି ଦେଇଥିଲେ। ଏଥିପାଇଁ ଚାଷୀମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଘୋଷଣା କରିଛନ୍ତି। କାଲି ଟ୍ରାକ୍ଟର ରାଲି ଓ ଜାନୁଆରୀ ୨୬ରେ ସମଗ୍ର ଦେଶରେ ବିକ୍ଷୋଭ କରିବେ ବୋଲି ଚାଷୀ ସଂଗଠନ ଗୁଡ଼ିକ ଚେତାବନୀ ଦେଇଛନ୍ତି।