ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିହାର ରାଜନୀତିରେ ସୃଷ୍ଟି ହୋଇଛି ବଡ଼ ଟ୍ୱିଷ୍ଟ। ବିଧାନସଭା ନିର୍ବାଚନରେ ମାତ୍ର ୧୯ଟି ଆସନ ଜିତିଥିବା କଂଗ୍ରେସ ଏବେ ରାଜ୍ୟରେ ଏକ ପ୍ରକାରର ମୂଳପୋଛ ହେବାର ସଙ୍କେତ ମିଳିଛି। କାରଣ ଦଳର ୧୯ ଜଣ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଯଦି ଏହି କଂଗ୍ରେସ ବିଧାୟକମାନେ ଦଳ ପରିବର୍ତ୍ତନ କରୁଛନ୍ତି, ତା’ହେଲେ ସେମାନଙ୍କ ଉପରେ ଦଳ ବଦଳ ଆଇନ ଲାଗୁ ହେବନାହିଁ। ସେହିପରି ବିଧାନସଭା ନିର୍ବାଚନରେ ମାତ୍ର ୪୩ଟି ଆସନ ଜିତି ବିଜେପି ସହ ମିଶି ସରକାର ଗଠନ କରିଥିବା ଜେଡିୟୁର ବିଧାୟକଙ୍କ ସଂଖ୍ୟା ମଧ୍ୟ ୫୪ରେ ପହଞ୍ଚି ଯିବ। ତେଣୁ ଆଗକୁ ବିହାରରେ ରାଜନୀତିକ ହଟଚମଟ ନିଶ୍ଚିତ ଭାବେ ସୃଷ୍ଟି ହେବ ବୋଲି କୁହାଯାଉଛି। ବିହାର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭାରତ ସିଂହ କହିଛନ୍ତି, ୧୧ ଜଣ କଂଗ୍ରେସ ବିଧାୟକ ଖୁବଶୀଘ୍ର ଜେଡିୟୁରେ ସାମିଲ ହୋଇପାରନ୍ତି। ଏହି ନେତାମାନଙ୍କୁ ଜେଡିୟୁ ଟିକେଟ ନ ଦେବାରୁ ସେମାନେ ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ଟିକେଟରେ ଏମାନେ ଜିତିବା ପରେ ପୁଣିଥରେ ଜେଡିୟୁକୁ ଫେରିବାକୁ ଯୋଜନା କରିଛନ୍ତି। ୧୧ ଜଣ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ରାଜ୍ୟ କଂଗ୍ରେସ ସଭାପତି ମଦନ ମୋହନ ଝା, ରାଜ୍ୟସଭା ସାଂସଦ ଅଖିଲେଶ ପ୍ରସାଦ ସିଂହ ଓ ବରିଷ୍ଠ ନେତା ସଦାନନ୍ଦ ସିଂହ ସମସ୍ତ ପ୍ରକାରର ସହଯୋଗ କରୁଛନ୍ତି। ମଦନ ଓ ସଦାନନ୍ଦ ବିହାର ବିଧାନ ପରିଷଦକୁ ଯିବାକୁ ଚାହୁଁଛନ୍ତି। ତେଣୁ ସେମାନେ ଏଭଳି କରୁଥିବା ଭାରତ ସିଂହ ଅଭିଯୋଗ କରିଛନ୍ତି। ଚଳିତ ବିହାର ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଓ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମିଳିତ ଭାବେ ଲଢ଼େଇ କରିଥିଲେ। କଂଗ୍ରେସ ୨୪୩ ଆସନ ବିଶିଷ୍ଟ ବିଧାନସଭା ଆସନରୁ ୭୦ଟି ସ୍ଥାନରେ ପ୍ରାର୍ଥୀ ଦେଇଥିଲା। ହେଲେ କେବଳ ୧୯ଟିରେ ଜିତିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଆରଜେଡି ୭୫ଟି ଆସନରେ ବାଜିମାତ କରିଥିଲା। ଅନ୍ୟପକ୍ଷରେ ବିଜେପି ୭୪ଟି ଓ ଜେଡିୟୁ ୪୩ଟି ଆସନରେ ଜିତି ସରକାର ଗଠନ କରିଛନ୍ତି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପଦରେ ରହିବାକୁ ଚାହୁଁ ନଥିବା କହିଥିଲେ। ସେହିପରି ବିଜେପି ଓ ଜେଡିୟୁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ସୂଚନା ମିଳିଥିଲା। ଏସବୁ ଭିତରେ ୧୧ କଂଗ୍ରେସ ବିଧାୟକଙ୍କ ପଟ ପରିବର୍ତ୍ତନ ବିହାର ରାଜନୀତିରେ ନୂଆ ଟ୍ୱିଷ୍ଟ ସୃଷ୍ଟି କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।