ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ରାଜଧାନୀ ଭୁବନେଶ୍ୱରରେ ରହିବା ନିମନ୍ତେ ଏଣିକି କୋଠା ନିର୍ମାଣ କରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସିଖବର। କୋଠା ନିର୍ମାଣ ପୂର୍ବରୁ ପ୍ଲାନ୍ ଆପ୍ରୁଭାଲ୍ ପାଇଁ ଆଉ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସର୍ବାଧିକ ୧୦ମିଟର ଉଚ୍ଚତା(୩୩ଫୁଟ) ବିଶିଷ୍ଟ କୋଠା ନିର୍ମାଣ ନିମନ୍ତେ ପ୍ଲାନ୍ ଆପ୍ରୁଭାଲ୍ ଦରକାର ହେବନି। ବିଡିଏ ପକ୍ଷରୁ ନିଜସ୍ୱ ୱେବସାଇଟରେ ୧୦୪ଟି ଅନୁମୋଦିତ ବିଲିଡିଂ ପ୍ଲାନ୍ ରହିଛି, ଯେଉଁଥିରୁ ଗୋଟିଏକୁ ଗୃହନିର୍ମାତା ଚୟନ କରିପାରିବେ। ଆଜି ବିଡିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଲୋ-ରିସ୍କ କୋଠା ନିମନ୍ତେ ବିଲିଡିଂ ପ୍ଲାନର ଆବଶ୍ୟକତା ନାହିଁ। ଲୋ-ରିସ୍କ କୋଠା ନିମନ୍ତେ ବିଡିଏ ପକ୍ଷରୁ ଆଜି ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଜାରି ହୋଇଛି। ଏହି ପ୍ଲାନ ଅନ୍ତର୍ଗତ ଗୃହନିର୍ମାତା ୨୪୦୦ବର୍ଗଫୁଟ୍ ସାଇଜ୍ ପର୍ଯ୍ୟନ୍ତ ଜମିରେ ଏହି ଲୋ-ରିସ୍କ କୋଠା ନିର୍ମାଣ କରିପାରିବ। ତେବେ ଏହି କୋଠାର ଉଚ୍ଚତା ୧୦ମିଟରରୁ କମ୍ ଓ ସର୍ବାଧିକ ୧୬୫୦ ବର୍ଗଫୁଟର ନିର୍ମାଣ ଅଂଚଳ ଏବଂ କୋଠାରେ ବେସମେଣ୍ଟ ନଥିବା ଜରୁରୀ। ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଆଧାରରେ କୋଠା ନିର୍ମାଣ ପାଇଁ ଆଗ୍ରହୀ ବ୍ୟକ୍ତି କୋଠା ନିର୍ମାଣ ପୂର୍ବରୁ ବିଡିଏ ୱେବସାଇଟରୁ ଯେକୌଣସି ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଚୟନ କରି ଫର୍ମ-୬(କ)କୁ ପୂରଣ କରି ସମ୍ପୃକ୍ତ ବିଲିଡିଂ ପ୍ଲାନର ରେଫରେନ୍ସ କୋଡ୍ ଏବଂ ବିଡିଏ/ବିଏମସି ନାଁରେ ବ୍ୟାଙ୍କ ଚାଲାଣ ଦାଖଲ କରି କୋଠା ନିର୍ମାଣ ଆରମ୍ଭ କରିପାରିବେ। କୋଠା ନିର୍ମାଣ କରି ସାରିବା ପରେ ଫର୍ମ-୬(ଖ)କୁ ପୂରଣ କରି ବିଡିଏ/ବିଏମସି ଅଫିସରେ ଦାଖଲ କରିବେ ତଥା ଏହାର ୧୫ଦିନ ପରେ ଉକ୍ତ କୋଠାରେ ରହିପାରିବେ। ବିଡିଏ ୱେବସାଇଟରେ ଏହି ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ସହ କେତେ ଅର୍ଥ ପୈଠ କରିବାକୁ ପଡ଼ିବ ତା’ର ସବିଶେଷ ବିବରଣୀ ରହିଛି। ଏହାସହିତ ଘର ନିର୍ମାଣ କରିବାକୁ ଚାହୁଁଥିବା ବ୍ୟକ୍ତି ବିଡିଏ ୱେବସାଇଟକୁ ଯାଇ ତାଙ୍କର ପ୍ଲଟଟିର ସ୍ଥିତି(ଏନଓସି ଆବଶ୍ୟକ କି ନାହିଁ)କୁ ଯାଂଚ କରିନେବାର ଆବଶ୍ୟକତା ରହିଛି। ଯଦି ଏହା ଇକୋ-ସେନସେଟିଭ୍ ଜୋନ, ଏଏସଆଇ ସଂରକ୍ଷିତ ଅଂଚଳ, କଟକଣା ଓ ନିୟନ୍ତ୍ରିତ ଅଂଚଳ,ବିମାନ ବନ୍ଦର ପ୍ରାଧିକରଣଙ୍କ ଜୋନିଂ ମ୍ୟାପ ଅଂଚଳ ଅନ୍ତର୍ଗତ ରହିଛି କି ନାହିଁ ଯାଂଚ କରିବା ଜରୁରୀ। ଯଦି ସେଭଳି ଅଂଚଳରେ ପ୍ଲଟ୍ ଥାଏ ତା’ହେଲେ ଘର ନିର୍ମାଣ କରିବା ପାଇଁ ବିଡିଏଠୁ ପୂର୍ବ ଅନୁମତି(ଅନାପତ୍ତି ପ୍ରମାଣପତ୍ର) ଜରୁରୀ ବୋଲି ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।