ପାଠ୍ୟକ୍ରମରେ ସାମିଲ ହେବ ଓଡ଼ିଆ ବରପୁତ୍ରଙ୍କ ଜୀବନୀ;ଛାତ୍ରଛାତ୍ରୀଙ୍କୁ ବାର୍ଷିକ ବୃତ୍ତି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାର ଗୌରବମୟ ଐତିହ୍ୟ ତଥା ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଏ ଜାତିକୁ ନିଜର ପ୍ରତିଭା ଦ୍ୱାରା ମହିମାମଣ୍ଡିତ କରିଥିବା ସମସ୍ତ ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀକୁ ବିଭିନ୍ନ ପାଠ୍ୟକ୍ରମରେ ସାମିଲ କରାଯିବ। ଏହା ସହିତ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଏହି ବିଷୟରେ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ଚୟନିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଶିକ୍ଷାବିତଙ୍କୁ ନେଇ ଏକ କମିଟି ଗଠନ ହେବ। ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ ଓ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟର ବରପୁତ୍ରମାନଙ୍କୁ ଉତ୍ତରପୀଢ଼ୀ ନିକଟରେ ଚିରସ୍ମରଣୀୟ ରଖିବା ପାଇଁ ସେମାନଙ୍କର ଜନ୍ମସ୍ଥାନକୁ ଆଦର୍ଶ ଗାଁରେ ପରିଣତ କରାଯିବା ସହିତ ସେମାନଙ୍କର ଜନ୍ମ ଓ ତିରୋଧାନ ଦିବସଗୁଡ଼ିକୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରାଯିବ। ଏହା ସେହି ବରପୁତ୍ରମାନଙ୍କ ପ୍ରତି ଏ ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳି ହେବ। ପାଇକ ବିଦ୍ରୋହଠୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଆଧୁନିକ ଓଡ଼ିଶାର ନବନିର୍ମାଣରେ ଅତୁଳନୀୟ ଅବଦାନ ରଖିଥିବା ବରପୁତ୍ରମାନଙ୍କର ତ୍ୟାଗକୃତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟପୁସ୍ତକରେ ଉପସ୍ଥିତ ଭାବେ ସ୍ଥାନିତ କରିବା ପାଇଁ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। 

Leave a Reply

Your email address will not be published. Required fields are marked *