!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ବେଗୁନିଆପଡା) – କରୋନା ଭାଇରସର ସଂକ୍ରମଣ ଦିନକୁଦିନ ବଢିଚାଲିଥିବାବେଳେ ଗଞ୍ଜାମ ଜିଲାରେ ଏହାର ହାର ବେଶ ଅଧିକ। ମାତ୍ର କିଛିଦିନ ତଳେ ଗ୍ରୀନ ଜୋନରେ ସୁରକ୍ଷିତ ଥିବା ଗଞ୍ଜାମ ସୁରାଟ ଫେରନ୍ତାଙ୍କ ଆଗମନ ପରେ ହଠାତ ରେଡ ଜୋନକୁ ଛଲାଙ୍ଗ ଲଗାଇଛି। ସମସ୍ତେ ଏଥିପାଇଁ ଭୟର ବାତାବରଣରେ ଥିଲାବେଳେ କିଛି ଅସାମାଜିକ ତତ୍ତ୍ୱ ପାଇଁ ଏହି ସମୟ ପୁଷ ମାସ ପାଲଟିଛି। ଲୋକଙ୍କ ଚଳପ୍ରଚଳ ବନ୍ଦ ଥିବା ସୁଯୋଗ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟଜନ୍ତୁ ଶିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଶିକାରୀ ମାନେ ସାଧାରଣତଃ ମଧ୍ୟାହ୍ନ ସମୟକୁ ଉଚିତ ମଣି ଶିକାରରେ ବାହାରି ବ୍ଲକର ବେରୁଆଁବାଡ଼ି, କାଳିମେଘି, ସାନଉସ୍ତାପଡା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମର ନିଛାଟିଆ ଅଞ୍ଚଳ ଦେଖି ନିରୀହ ପକ୍ଷୀ ମାନଙ୍କୁ ଶିକାର କରିବା ଦେଖାଯାଉଛି। ଏହାସହ ବିଭିନ୍ନ ଜଙ୍ଗଲରେ ବାରହା, କୁଟ୍ରା, ସମ୍ବର, ହରିଣ ଆଦି ଶିକାର ହେଉଥିବା ଅଭିଯୋଗ ଆସୁଛି। ନିକଟରେ ସାନ ଉସ୍ତାପଡା ଗ୍ରାମରେ ଏକ ମୟୁର ଶିକାରୀକୁ ଗ୍ରାମବାସୀ ବନବିଭାଗ ଜିମାରେ ଦେଇଥିଲେ। ସରକାର ବନ୍ୟ ସମ୍ପଦ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବିଭିନ୍ନ ଆଇନ ପ୍ରଣୟନ କରି ଦୋଷୀକୁ କଠୋର ଦଣ୍ଡଦେବା ବ୍ୟବସ୍ଥାର ପ୍ରାବଧାନ କରିଛନ୍ତି। କିନ୍ତୁ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଛି। ବନବିଭାଗ ଓ ମାଫିଆ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜନସାଧାରଣଙ୍କ ଅଗୋଚରରେ ବହୁତ କିଛି ଘଟୁଥିବା ନଜିର ରହିଛି। ତେଣୁ ଏଥିପ୍ରତି ଜନସାଧାରଣ ସଜାଗ ରହିବା ସହ ବନବିଭାଗ ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି। ନଚେତ ଏହି ନିରୀହ ପ୍ରାଣୀ ଗୁଡିକ ଅଞ୍ଚଳରୁ ଲୋପପାଇବାକୁ ବେଶିଦିନ ଲାଗିବନି ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।

