!!! ରାୟଗଡ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଗୁଣପୁର) – କରୋନା ଭୁତାଣୂ ର କ୍ରମ ବର୍ଦ୍ଧିଷ୍ଣୁ ସଂକ୍ରମଣ ରୁ ଜନ ସାଧାରଣ ଙ୍କୁ ସୁରକ୍ଷା ଦେବା ପାଇଁ ଗୁଣପୁର ପୌର ପରିଷଦ ଏବଂ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବାହିନୀ ତରଫରୁ ଆବଶ୍ୟକୀୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ସହରର ପେଣ୍ଠସ୍ଥଳୀ ଗୁଡିକରେ ସେନିଟାରାଇଜର ଛିଞ୍ଚନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସ୍ଥାନୀୟ ଜନ ସାଧାରଣ ଙ୍କୁ ସମ୍ଭବତଃ ଅଧିକ ନିଜ ଘରେ ରହିବାକୁ ଉପଜିଲ୍ଲାପାଳ ଡ଼. ସିଦ୍ଧେଶ୍ଵର ବଳିରାମ ବନ୍ଦର ବାରମ୍ବାର ଅନୁରୋଧ କରିଛନ୍ତି। ତଥାପି ସୌଦା ଏବଂ ପନିପରିବା କିଣିବା ବାହାନାରେ କେତେକ ବ୍ୟକ୍ତି ବାହାରକୁ ବାହାରି ଘୁରି ବୁଲୁଥିବା ରୁ ଏମାନଙ୍କୁ ଏଭଳି ନକରିବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦାଶ, ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଏବଂ ପୋଲିସ ବାହିନୀ ପକ୍ଷରୁ ରୀତିମତ ପେଟ୍ରୋଲିଂ ବ୍ଯବସ୍ଥା କରି ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି।

ରାଜ୍ଯ ରେ କରୋନା ପାଇଁ ଲକ୍ ଡାଉନ ହେବାର ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ବିଶେଷ କରି ପନିପରିବା ଓ ତେଜରାତି ସମାଗ୍ରୀ କ୍ରୟ କରିବା ସମୟରେ ଜନ ସାଧାରଣ ଏହାକୁ ଗୁରୁତ୍ୱ ର ସହ ଗ୍ରହଣ ନକରି ରୁଣ୍ଡ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୌର ପରିଷଦ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଠାରେ ସଂକୀର୍ଣ୍ଣ ପରିସୀମା ମଧ୍ୟରେ ରହିଥିବା ପନିପରିବା ଉଠା ଦୋକାନ ଗୁଡିକୁ ନୂତନ ବସଷ୍ଟାଣ୍ଡ ଠାରେ ଥିବା ବିଶାଳ ଖୋଲା ପଡ଼ିଆକୁ ସ୍ଥାନାନ୍ତରିତ କରିଛନ୍ତି। ପ୍ରତ୍ୟେକ ଦୋକାନ ମଧ୍ୟରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଗାଇଡ୍ ଲାଇନ୍ ମୁତାବକ ଦୂରତ୍ୱ ରକ୍ଷା କରି ଥଇଥାନ କରାଯାଇଛି। ଏପରିକି ସାମଗ୍ରୀ କ୍ରୟ ବିକ୍ରୟ ସମୟରେ ଉଭୟ କ୍ରେତା ଓ ବିକ୍ରେତା ନିଜ ନିଜ ମଧ୍ୟରେ ଯେଭଳି ଅନ୍ୟୁନ ୨ ମିଟର ଦୂରତ୍ୱ ରକ୍ଷା କରିବେ ସେଥି ନିମନ୍ତେ ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୌର ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଚରଣ ଦାଶ ଙ୍କୁ ସ୍ଥାନୀୟ ଜନ ସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି।

ବିପର୍ଯ୍ୟୟ ପ୍ରଶମନ ଦାୟିତ୍ୱ ରେ ଥିବା ସ୍ଥାନୀୟ ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ପୌର ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା କୁ ତଦାରଖ କରି ଗ୍ରାହକ ମାନେ ନିଜ ନିଜ ମଧ୍ୟରେ ନିରାପଦ ଦୂରତ୍ୱ ରଖିବାକୁ ଅନୁରୋଧ କରିଥିଲେ। ସାମାଜିକ ଦୂରତ୍ୱ ରଖିବାରେ ବିଫଳ ହେଉଥିବା ଗ୍ରାହକ ମାନଙ୍କୁ ସମାଗ୍ରୀ କ୍ରୟ ର ସୁଯୋଗ ଦିଆନଯିବ ବୋଲି ଚେତାବନୀ ଦେଇଛନ୍ତି। ଜନ ସାଧାରଣ ଖାଦ୍ୟ ସମାଗ୍ରୀ କ୍ରୟ ପାଇଁ ପ୍ରତ୍ୟହ ନଆସି ଚାରି ପାଞ୍ଚଦିନ ବ୍ୟବଧାନରେ ଆସିବାକୁ ଏବଂ ସାହି ପଡ଼ିଶାର କୌଣସି ବ୍ୟକ୍ତି ସମାଗ୍ରୀ ପାଇଁ ଯାଉଥିଲେ ନିଜ ପାଇଁ ଆବଶ୍ୟକ ସାମଗ୍ରୀ ଆଣିବାକୁ ଅନୁରୋଧ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଶ୍ରୀ ସାବତଙ୍କ ଏଭଳି ପରାମର୍ଶ କୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସ୍ୱାଗତ୍ କରିବା ସହ ଏହାକୁ କାର୍ଯ୍ୟକାରୀ କଲେ କରୋନା ଠାରୁ ଜନ ସାଧାରଣ ଦୁରେଇ ରହିପାରିବେ ବୋଲି ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ୍ ପରିସ୍ଥିତିରେ ଅବସ୍ଥାପିତ କରାଯାଇଥିବା ଏହି ଉଠା ପରିବା ଦୋକାନ ଗୁଡିକ ସହ ଆମିଷ ଦୋକାନ ଏବଂ ଫଳ ଦୋକାନ ଗୁଡିକୁ ଏଭଳି ନିୟମିତ ଭାବେ ନୂତନ ବସଷ୍ଟାଣ୍ଡ ଠାରେ ଚାଲୁ କରାଗଲେ ସହର ମଧ୍ୟରେ ଦେଖା ଦେଉଥିବା ଟ୍ରାଫିକ୍ ସମସ୍ୟା ଶତ ପ୍ରତିଶତ ଦୂର ହୋଇପାରିବ ବୋଲି ସ୍ଥାନୀୟ ଜନ ସାଧାରଣ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here