!!! ବାଲୁଗାଁ ଏନ୍ ଏ ସି ପ୍ରତିନିଧି ଜଗନ୍ ସୁବୁଦ୍ଧି ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବାଲୁଗାଁ) – ବିଶ୍ୱ ବ୍ୟାପି କରୋନାରେ ଆତଙ୍କିତ ରହିଥିବା ବେଳେ ପ୍ରତିଷେଧକ ଔଷଧ କିମ୍ବା ଭେକ୍ସିନ ବ୍ୟତୀତ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ହିଁ ଏକମାତ୍ର ବିକଳ୍ପ ବୋଲି ଜନସଚେତନତା ଜାଗୃତ କରାଯାଇଛି । ଏଥିନିମନ୍ତେ ସରକାର ସାରା ରାଜ୍ୟରେ ଲକ୍ ଡାଉନ କରିବା ସହ ନିଜକୁ ସୁରକ୍ଷା ପାଇଁ ବାରମ୍ବାର ହାତ ସଫା ସହ ଜନ ଗହଳି ସ୍ଥାନରେ ସାନିଟାଇଜର ସିଞ୍ଚନ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍.ଏ.ସି ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ଥିବା ଅଧିକ ଜନ ଗହଳି ସ୍ଥାନରେ ଏବଂ ବଜାର ରେ ସ୍ଥାନୀୟ ଅଗ୍ନିଶମ ବିଭାଗ ସହଯୋଗରେ ସାନିଟାଇଜର ସିଞ୍ଚନ କରାଯାଇଛି । ଆବଶ୍ୟକତା ଦୃଷ୍ଟିରୁ ପ୍ରତ୍ୟେକ ଗୋଟାଏ ଦିନ ବ୍ୟବଧାନ ରେ ଦିନ ୧୧ ଘଣ୍ଟା ସମୟରେ ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରାଗଲା। ଏଭଳି ସହରରେ ଆବଶ୍ୟକତା ଥିବା ଜନଗହଳି, ସ୍ୱାସ୍ଥ୍ୟକେନ୍ଦ୍ର, ଦୈନିକ ବଜାର, ସ୍ଥାନୀୟ ଗାନ୍ଧୀ ଛକରେ ସିଞ୍ଚନ ପ୍ରକ୍ରିୟା କରାଯାଇଥିବା ବେଳେ ପ୍ରତିଦିନ ଅପରାହ୍ନରେ ସହରର ସାହି ଗୁଡ଼ିକ ରେ ସିଞ୍ଚନ ପ୍ରକ୍ରିୟା ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ଲକ୍ ଡାଉନ ପର୍ଯ୍ୟନ୍ତ ଜାରି ରହିବ ବୋଲି ବାଲୁଗାଁ ଏନ ଏ ସି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ସହର ର ଜନ ଗହଳି ସ୍ଥାନ ରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଈଁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଜାରି କରିବା ସହ ଡ଼ାକ ବାଜି ଯନ୍ତ୍ର ମାଧ୍ୟମ ରେ ଜନସାଧାରଣ ଙ୍କୁ ସଚେତନ କରାଯାଉଥିବା ବାଲୁଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।