!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ବେଗୁନିଆପଡା) – କୋରନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି l ଯାହାର ଅର୍ଥ ନିହାତି ଆବଶ୍ୟକ ନଥିଲେ 21 ଦିନ ଯାଏଁ କେହି ଘରୁ ପଦାକୁ ବାହାରିବେନି ଓ ସାମାଜିକ ଦୂରତ୍ୱ ବଜାୟ ରଖିବେ l କିଛି ଅମାନିଆ ଲୋକଙ୍କୁ ବାଦ ଦେଲେ ସହରାଞ୍ଚଳରେ ପ୍ରାୟ ଅଧିକାଂଶ ଜନତା ଏହାକୁ ମାନି ଘରେ ରହିବାକୁ ଶ୍ରେୟ ମଣୁଛନ୍ତି ଏବଂ ଏହା ନିରାପଦ ମଧ୍ୟ l ଆବଶ୍ୟକ ପଡିଲେ ହିଁ ଲୋକମାନେ ସଉଦା ପାଇଁ ପଦାକୁ ଆସିବାକୁ ବାଧ୍ୟ ହେଉଛନ୍ତି l ତେଣୁ ଲୋକଙ୍କୁ ଆବଶ୍ୟକୀୟ ଜିନିଷ ଯୋଗାଇବା ପାଇଁ ରେସନ, ଫଳ, ପନିପରିବା, କ୍ଷୀର, ମେଡ଼ିସିନ ଆଦି ଦୋକାନ ଖୋଲା ରହିବାକୁ ସରକାର ଅନୁମତି ଦେଇଛନ୍ତି l ହେଲେ ଏହାର ପ୍ରଭାବ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁନାହିଁ l ପୂର୍ବଭଳି ଗ୍ରାମ ପରିବେଶ ଯେମିତି ଥିଲା ଏବେବି ସେମିତି ରହିଛି l ପୁଲିସ ଭୟରେ କିଛି ଦୋକାନ ବନ୍ଦ ଥିବା ଛାଡିଦେଲେ, ପିଲାଠୁ ଆରମ୍ଭ କରି ବଡ ଯାଏଁ ଏଣେତେଣେ ବୁଲିବା ଜାରିରହିଛି, ଛକ ଗୁଡିକରେ ଜମାହୋଇ ଗୁଲି ଖଟି କରିବା, ତାସ ଖେଳିବା, ସ୍ନାନ, ଶୌଚାଦି ପାଇଁ ସର୍ବସାଧାରଣ ପୋଖରୀ, କେନାଲ ଆଦି ବ୍ୟବହାର କରିବା, ପରସ୍ପରର ଘରକୁ ଯିବା ଆସିବା, ବସଉଠ ହେବା,ଆବଶ୍ୟକୀୟ ପଦାର୍ଥ ବିନା ସତର୍କତାର ମଗା ଯଚା ହେବା, ପିଲାମାନେ ସାଙ୍ଗହୋଇ ଖେଳକୁଦ କରିବା ଆଦି ଯଥା ପୂର୍ବଂ ତଥା ପରଂ ଜାରିରହିଛି l ଲୋକଙ୍କୁ ସଚେତନ କରିବା ପାଇଁ ସରକାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି l ପ୍ରଶାସନ, ପୁଲିସ, ମିଡ଼ିଆ ସମସ୍ତେ ଏକାଧାରରେ ଲାଗିପଡିଛନ୍ତି l ଟିଭି, ସୋସିଆଲ ମିଡ଼ିଆ, ଫେସବୁକ, ହ୍ୱାଟ୍ସଅପରେ ସମସ୍ତେ ଏହାର ଭୟାଭୟତାର କୁପରିଣାମ ଦେଖୁଛନ୍ତି l ତଥାପି ଗ୍ରାମାଞ୍ଚଳର ପରିବେଶରେ କୌଣସି ପରିବର୍ତନ ପରିଲକ୍ଷିତ ହେଉନି l ବେଗୁନିଆପଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଏହା ବିନା କୌଣସି ଭୟରେ ଚାଲିଛି l ଦୁର୍ଭାଗ୍ୟବଶତଃ ଜଣେ କେହି ଯଦି କରୋନା କବଳରେ ଆସିଯାଏ ତାହେଲେ ଏହାଯେ କେତେ କ୍ଷିପ୍ରଗତିରେ ବ୍ୟାପିବ କାହାକୁ ଅଛପା ନାହିଁ l ତେଣୁ ଜନସାଧାରଣ ସଜାଗ ରହିବା ଆବଶ୍ୟକ ନଚେତ ପ୍ରଶାସନ କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପଡିବ l ନହେଲେ “ସର୍ବେ ହୋଇବେ ଏକାକାର ନଥିବ ବେଦର ବିଚାର l”