ପ୍ରତାପ ଷଡ଼ଙ୍ଗୀ କହିଲେ ବନ୍ଦେ ମାତରମ୍‌ ନ କହିପାରିଲେ ଭାରତରେ ରହିବାର ଅଧିକାର ନାହିଁ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଯେଉଁମାନେ ‘ବନ୍ଦେ ମାତରମ୍‌’ କରିପାରିବେ ନାହିଁ ସେମାନଙ୍କର ଭାରତରେ ରହିବା କୌଣସି ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସୁରତର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସିଏଏକୁ ନେଇ ପ୍ରତାପ କହିଛନ୍ତି, କଂଗ୍ରେସ କରିଥିବା ବିଭାଜନ ପାପର ପ୍ରାୟଶ୍ଚିତ ହେଉଛି ନାଗରିକତା ସଂଶୋଧନ ଆଇନ (ସିଏଏ)। ସେ ଏହି ଅବସରରେ କହିଥିଲେ, “ସିଏଏ ୭୦ ବର୍ଷ ପୂର୍ବରୁ ଆସିବାର ଥିଲା। ଏହା ଆମ ପୂର୍ବଜମାନେ ତଥା କିଛି ନେତା କରିଥିବା ପାପର ଏକ ପ୍ରାୟଶ୍ଚିତ। ସିଏଏ ହେଉଛି ଦେଶ ବିଭାଜନ ଭଳି ପାପର ଏକ ପ୍ରାୟଶ୍ଚିତ। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଧାଇ ଜଣାଇବା ଦରକାର। କଂଗ୍ରେସ ଏହି ପାପ କରିଥିଲା ଏବଂ ଆମେ ଏହାର ପ୍ରୟାଶ୍ଚିତ କଲୁ।” ଏଥିସହିତ ପ୍ରତାପ ଆହୁରି ମଧ୍ୟ କହିଥିଲେ ଯେ, ଧର୍ମ ଆଧାରରେ ଦେଶକୁ ବିଭାଜନ ହୋଇଥିଲା। ଯାହାକୁ ଆଦୌ ଅଣଦେଖା କରାଯାଇ ପାରିବ ନାହିଁ। ସେ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଦେଶ ବିଭାଜନର ସମର୍ଥକଙ୍କ ସହ ଚୁକ୍ତି କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ କେବଳ ମାଗଣା ପାଣି ଓ ବିଦ୍ୟୁତ୍ ସେବାରେ ଦେଶର ଉନ୍ନତି ହୋଇପାରିବ ନାହିଁ। ଦେଶ ବିଭାଜନକୁ ନେଇ ପ୍ରତାପ କହିଥିଲେ, “ସେତେବେଳର ରାଜନେତାମାନେ ମିଶି ଧର୍ମ ଆଧାରରେ ଦେଶର ବିଭାଜନ କଲେ। କିନ୍ତୁ ଏବେ ପାକିସ୍ତାନ, ବଙ୍ଗଳାଦେଶ,ଏବଂ ଅଫାଗାନିସ୍ତାନ ଭଳି ଦେଶରେ ହିନ୍ଦୁଙ୍କ ସଂଖ୍ୟା କମିଯାଇଛି। ଏହି ଦେଶଗୁଡ଼ିକରେ ଲୋକଙ୍କୁ ଧର୍ମ ଆଧାରରେ ନିର୍ଯାତନା ଦିଆଯାଇଛି।”

Leave a Reply

Your email address will not be published. Required fields are marked *