ମାର୍ଚ୍ଚ ପହିଲାରୁ ବାଇକ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ସଂଶୋଧିତ ଟ୍ରାଫିକ ନିୟମର ୩ମାସିଆ କୋହଳ ଅବଧି ଶେଷ ହେବାପରେ ମାର୍ଚ୍ଚ ପହିଲାରୁ ରାଜ୍ୟରେ ବାଇକ୍ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ। ବାଇକରେ ଚାଳକଙ୍କ ସହ ବସିଥିବା ଯାତ୍ରୀମାନେ ହେଲମେଟ୍ ପିନ୍ଧିନଥିଲେ ତାଙ୍କଠୁ ଜୋରିମାନା ଆଦାୟ କରାଯିବ। ସଡ଼କ ନିରାପତ୍ତା ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ସଂଶୋଧିତ ମୋଟର ଯାନ ଆଇନକୁ ୩ମାସ କୋହଳ କରାଯାଇଛି ଓ ଏହି ଅବଧି ଫେବୃୟାରୀ ୨୮ତାରିଖରେ ଶେଷ ହେବ। ମାର୍ଚ୍ଚ ପହିଲାରୁ ଏହି ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ବାଇକ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ଓ ଚାରିଚକିଆ ଯାନରେ ଆଗରେ ବସିଥିବା ଯାତ୍ରୀଙ୍କ ପାଇଁ ସିଟ ବେଲଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ଏହି କୋହଳ ଅବଧି ଶେଷ ହେବାପରେ ମାର୍ଚ୍ଚ ପହିଲାରୁ ଟ୍ରାଫିକ ନିୟମ ଭଙ୍ଗ ଘଟଣାର ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ସଂଶୋଧିତ ନିୟମ ଅନୁସାରେ ଥିବା ଜୋରିମାନାକୁ ହ୍ରାସ ପାଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆଗାମୀ ଦିନରେ ସଡ଼କ ଦୁର୍ଘଟଣାକୁ ୨୦ପ୍ରତିଶତ ହ୍ରାସ ନିମନ୍ତେ କେନ୍ଦ୍ର ସରକାରଙ୍କଠୁ ଅଧିକ ଅନୁଦାନ ଦାବି କରାଯାଇଛି। ଟ୍ରାଫିକ ନିୟମ ଭଙ୍ଗକାରୀଙ୍କୁ ଧରିବା ପାଇଁ ରାଜପଥରେ ପ୍ରତି ୩୦କିମିରେ ସ୍କ୍ୱାର୍ଡ ମୁତୟନ କରାଯିବ। ସୂଚନାଯୋଗ୍ୟ, ସଂଶୋଧିତ ଟ୍ରାଫିକ ଆଇନକୁ ସେପ୍ଟେମ୍ବର ୧ରୁ ରାଜ୍ୟରେ କଡ଼ାକଡ଼ି ଲାଗୁ କରାଯିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ପରେ ରାଜ୍ୟ ସରକାର ପ୍ରଥମେ ନଭେମ୍ବର ୨୮ ଓ ପରେ ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ଆଇନକୁ କୋହଳ କରିଛନ୍ତି। ନୂଆ ନିୟମ ଅନୁସାରେ ବିନା ହେଲମେଟରେ ଗାଡ଼ି ଚଳାଇଲେ ଓ ଚାରିଚକିଆ ଯାନରେ ବିନା ସିଟ୍ ବେଲଟ ପାଇଁ ୧ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *