ଏବିଭିପି କହିଲା ଜେଏନ୍‌ୟୁକୁ ବଦନାମ କରୁଛନ୍ତି ଅର୍ବାନ ନକ୍ସଲ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଅଭିଯୋଗ ଆଣିଛି ଜେଏନ୍‌ୟୁକୁ ବଦନାମ କରୁଥିବା ବାମପନ୍ଥୀମାନେ ହିଂସାକାଣ୍ଡ ଭିଆଇଛନ୍ତି। ଏବିଭିପି ସାଧାରଣ ସମ୍ପାଦକ ନିଧି ତ୍ରିପାଠୀଙ୍କ ସହ ଅନ୍ୟ କିଛି ଏବିଭିପି କର୍ମୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜେଏନ୍‌ୟୁର ଶୈକ୍ଷିକ ବାତାବରଣ ଫେରିଆସିବା ଦରକାର ଏବଂ ଏହାର ସଂସ୍କୃତି ଫେରିଆସିବା ଦରକାର। ନିଧି କହିଛନ୍ତି, “ଜେଏନ୍‌ୟୁ ଶିକ୍ଷାଗତ କାରଣ ପାଇଁ ପରିଚିତ ହେବା ବଦଳରେ ନକ୍ସଲ କାର୍ଯ୍ୟକଳାପ ପାଇଁ ପରିଚୟ ପାଉଛି। ଏଭଳି କିଛି ଲୋକଙ୍କ ପାଇଁ ଆମ ପରି ଛାତ୍ରଛାତ୍ରୀଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଉଛି।” ଜେଏନ୍‌ୟୁ ଛାତ୍ର ସଂଘ ବା ଜେଏନ୍‌ୟୁଏସ୍‌ୟୁର ଅଭିଯୋଗକୁ ମଧ୍ୟ ଏବିଭିପି ଖଣ୍ଡନ କରିଛି। ଜେଏନ୍‌ୟୁଏସ୍‌ୟୁ ପୂର୍ବରୁ ଅଭିଯୋଗ ଆଣିଥିଲା ଏବିଭିପି କର୍ମୀ ହିଂସାରେ ସଂଶ୍ଲିଷ୍ଟ ଅଛନ୍ତି। ହ୍ୱାଟ୍ସଆପ୍‌ ମେସେଜ୍‌ ଓ ରେକର୍ଡିଂସ୍‌ରୁ ଏବିଭିପି କର୍ମୀ କୋମଲ ଶର୍ମାଙ୍କୁ ଲିଙ୍କ କରିବାକୁ ମଧ୍ୟ ଏବିଭିପି ଖଣ୍ଡନ କରିଛି। ପୁଲିସ୍‌ ଏହାର ତଦନ୍ତ କରି ସୋଶାଲ ମିଡିଆରେ ଭାଇରାଲ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଏବିଭିପି କହିଛି।ନିଧି ତ୍ରିପାଠୀ ଅତୀତରୁ ଉଦାହରଣ ନେଇ କହିଥିଲେ, “ବାମପନ୍ଥୀ ଜେଏନ୍‌ୟୁକୁ ବଦନାମ କରିବା ପାଇଁ ‘ନକ୍ସଲବାଦ’ ଚାଲୁ ରହିଛି। ଜଣେ ମହିଳା ପ୍ରଫେସରଙ୍କୁ ଅଟକାଇ ରଖିଥିଲେ, ଯାହାକୁ ପୁଲିସ୍‌ ହିଁ ଉଦ୍ଧାର କରିଥିଲା। ଜଣେ ୱାର୍ଡେନ୍‌ଙ୍କ ଘର ଉପରେ କାଚ ବୋତଲ ମାଡ଼ କରି ତାଙ୍କ ପତ୍ନୀଙ୍କୁ ଧମକାଇ ଥିଲେ। ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିଥିଲା। ସେମାନେ ସର୍ଭର ରୁମ୍‌ ମଧ୍ୟ ବନ୍ଦ କରିଦେଇଥିଲେ। ଏସବୁର ଭିଡିଓ ରହିଛି ପ୍ରମାଣ କରିବା ପାଇଁ।”

Leave a Reply

Your email address will not be published. Required fields are marked *