ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପ୍ରସ୍ତାବ, ଆରଏସଏସ ଓ ବିଜେପିକୁ ବାଧିଲା

ଏଥର ସମ୍ଭାଳ ବୁରୋ (ନୂଆଦିଲ୍ଲୀ) : କର୍ଣ୍ଣାଟକାର ରାମନଗର ଜିଲ୍ଲାରେ ଏକ ଗାଁରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ମାନଙ୍କ ପକ୍ଷରୁ ୧୪୪ ଫୁଟ ଉଚ୍ଚର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି କରିବାକୁ ଯୋଜନା କରାଯାଉଛି। ତେବେ ଏଭଳି ପ୍ରତିମୂର୍ତ୍ତିକୁ ବିଜେପି ଓ ଆରଏସଏସ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଆଜି ଏହି ଦୁଇ ସଂଗଠନର ନେତୃତ୍ୱରେ କନକାପୁରାରେ ବିଶାଳ ଶୋଭାଯାତ୍ରା କରାଯାଇଛି।

କନକାପୁରା ଚାଲୋ ନାଁରେ ହୋଇଥିବା ବିଶାଳ ରାଲିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସ୍ଥାନୀୟ ଅଞ୍ଚଳର କଂଗ୍ରେସ ବିଧାୟକ ଡିକେ ଶିବକୁମାର ବଡ଼ ଦିନରେ ୧୪୪ ଫୁଟର ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରତିମୂର୍ତ୍ତିଟି କାପାଲାବେଟ୍ଟା ହିଲର ହାରୋବେଲେ ଗାଁରେ ନିର୍ମାଣ ହେବ।

ହେଲେ ବିଜେପି ଓ ଆରଏସଏସ ଏହାକୁ ରାଜନୀତିକ ରୂପ ଦେଇଛନ୍ତି। ବରିଷ୍ଠ ଆରଏସଏସ ନେତା କେ ପ୍ରଭାକର ଭଟ କହିଛନ୍ତି, “ଏଠାକାର ଲୋକମାନେ ଖ୍ରୀଷ୍ଟ ଷ୍ଟାଚ୍ୟୁ ଚାହୁଁନାହାନ୍ତି। ସେମାନେ ପେଜାୱର ସ୍ୱାମୀ, ବାସଭେସ୍ୱରା, ବି ସ୍ୱାମୀ କିମ୍ବା ଯେଉଁମାନେ ଏହି ଅଞ୍ଚଳ ଓ ଦେଶପ୍ରତି ଅବଦାନ ରଖିଥିବା ଲୋକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ନାହିଁ ବୋଲି ପ୍ରଶ୍ନ କରୁଛନ୍ତି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭଟ ଓ ଅନ୍ୟ ୩ ଜଣଙ୍କ ନାଁରେ କର୍ଣ୍ଣାଟକା ପୁଲିସ୍‌ ନିକଟରେ ମାମଲା ରୁଜୁ କରିଥିଲା। ସେମାନେ ମେଙ୍ଗାଲୁରୁ ଠାରେ ଥିବା ଏକ ସ୍କୁଲ କାର୍ଯ୍ୟକ୍ରମରେ ବାବ୍ରୀ ମସଜିଦକୁ ଫଟୋ ଦ୍ୱାରା ଛୋଟ ଛୋଟ ଛାତ୍ରମାନଙ୍କୁ ଭାଙ୍ଗିବାକୁ କହିଥିଲେ। ଏବେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିକୁ ବିରୋଧ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ବିଶିଷ୍ଟ ଲେଖକ ଜାଭେଦ ଅଖତର କହିଛନ୍ତି, “ସେମାନେ କହୁଛନ୍ତି ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ପଡ଼ୋଶୀ ଦେଶର ଖ୍ରୀଷ୍ଟିୟାନ ମାନଙ୍କୁ ଭାରତର ନାଗରିକତା ଦେବେ। ହେଲେ ଅନ୍ୟପଟେ ସେମାନେ ବେଙ୍ଗାଲୁରୁରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ବିରୋଧ କରୁଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ବୁଝା ପଡ଼ିଯାଉଛି।”

Leave a Reply

Your email address will not be published. Required fields are marked *