ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଦେଶରେ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ପ୍ରୟାସରେ ପ୍ରଥମଥର ଲାଗି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରାଯାଇଛି। ଏହି ଗେମ୍ସର ପ୍ରଥମ ସଂସ୍କରଣ ଚଳିତବର୍ଷ ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସ୍ଥାନୀୟ ରେଳବାଈ ଅଡିଟୋରିୟମରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଲୋଗୋ ଓ ଜର୍ସି ଉନ୍ମୋଚନ ହୋଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌, କେନ୍ଦ୍ର ପେଟ୍ରୋଲିୟନ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଉପସ୍ଥିତ ଥିଲେ।

ଉକ୍ତ କ୍ରୀଡ଼ାରେ ସମଗ୍ର ଦେଶରେ ୧୦୦ ବିଶ୍ୱବିଦ୍ୟାଳୟର ୪ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ। ଖେଳାଳିମାନେ ୧୭ଟି ଇଭେଣ୍ଟ ଯଥା ଆର୍ଚେରୀ, ଆଥଲେଟିକ୍ସ, ବକ୍ସିଂ, ଫେନସିଂ, ଜୁଡୋ, ସୁଇମିଂ, ୱେଟଲିଫଟିଙ୍ଗ୍‌, ରେସଲିଂ, ବ୍ୟାଡମିଣ୍ଟନ୍‌, ବାସ୍କେଟବଲ, ଫୁଟବଲ, ହକି, ଟେବୁଲ୍ ଟେନିସ୍‌, ଟେନିସ, ଭଲିବଲ୍‌, ରଗବୀ ଏବଂ କବାଡି ଆୟୋଜିତ ହେବ।

ଉନ୍ମୋଚନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ରିଜିଜୁ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ବର୍ତ୍ତମାନ ଦେଶର କ୍ରୀଡ଼ା ହବ୍ ଭାବେ ପରିଚିତ ହୋଇଛି। ଓଡ଼ିଶା ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍‌, ପୁରୁଷ ହକି ବିଶ୍ୱକପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲଟେନିସ୍ ଚାମ୍ପିୟନଶିପ୍ ଏବଂ ହକି ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଭଳି ଇଭେଣ୍ଟ ଆୟୋଜନ କରି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏପରିକି ଓଡ଼ିଶାକୁ ପୁଣିଥରେ ଅର୍ଥାତ୍ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବାର ଗୁରୁଦାୟିତ୍ୱ ମିଳିଛି। ତେଣୁ ଆଉ ଏକ କ୍ରୀଡ଼ାର ଆୟୋଜନ କରିବା ଆମ ପାଇଁ ଗର୍ବ ଓ ଗୌରବ କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ଶ୍ରୀ ପ୍ରଧାନ କହିଥିଲେ, କେବଳ ହକି ନୁହେଁ, ଆଥଲେଟିକ୍ସରେ ମଧ୍ୟ ବହୁତ ଭଲ ଭଲ ଖେଳାଳି ଅଲମ୍ପିକ ଯାଇ ସଫଳତା ଲାଭ କରିଛନ୍ତି। ଗତ ଅଲମ୍ପିକରେ ଦାରିଦ୍ର୍ୟମ ପୃଷ୍ଠଭୂମିରୁ ଆସି ମଧ୍ୟ ଧାବିକା ଦୂତି ଚାନ୍ଦ, ଆଥଲେଟ୍ ଶ୍ରାବଣୀ ନନ୍ଦ ବିଶେଷ ଭାବରେ ଓଡିଆ ଘରର ଝିଅମାନେ ନାଁ କରିପାରିଛନ୍ତି। ତେଣୁ ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର, ଭାରତ ସରକାର ତଥା ବିଭିନ୍ନ ଅନୁଷ୍ଠାନମାନଙ୍କ ପୃଷ୍ଠପୋଷକତାରେ ରାଜ୍ୟ ଖେଳ ଜଗତରେ ଥିବା ଅବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଖେଲୋ ଇଣ୍ଡିଆ ନୂଆ କଳ୍ପନା। ଭାରତବର୍ଷରେ ଲୁକ୍କାୟିତ ପ୍ରତିଭାକୁ ଖୋଜି ସାମ୍ନାକୁ ଆଣିବାର ପ୍ରୟାସ ହେଉଛି ଖେଲୋ ଇଣ୍ଡିଆ। ଓଡ଼ିଶା ଧୀରେଧୀରେ ଖେଳର ରାଜଧାନୀ ହେବା ପାଇଁ ଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ଧୀରେଧୀରେ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଖେଳ ନୂଆ ଉଚ୍ଚତାକୁ ଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ତଥା କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here