ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଶେଷରେ ଜେଏନୟୁରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ମୁହଁ ଖୋଲିଛନ୍ତି କୁଳପତି ଏମ ଜଗଦେଶ କୁମାର। ହିଂସା ଘଟଣା ତାଙ୍କୁ ମର୍ମାହତ କରିଛି ଓ ଘଟଣାର ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

କୁଳପତି ଜଗଦେଶ ହିଂସା ଘଟଣାକୁ ଠିକ ଭାବେ ହ୍ୟାଣ୍ଡେଲ କରି ନଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରିବା ସହ ଇସ୍ତଫା ଦେବାକୁ ଦାବି କରାଯାଇଥିଲା। ତେବେ ଘଟଣାର ପ୍ରାୟ ୪୮ ଘଣ୍ଟା ପରେ ସେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଜେଏନୟୁ ଏମିତି ଏକ ସ୍ଥାନ ଯେଉଁଠାରେ ବିତର୍କକୁ ଅଧିକ ଗୁରୁତ୍ୱ ଦିଆଯାଏ।

ରବିବାର ଯାହା ଘଟିଲା, ତାହା ଆମ ସମସ୍ତଙ୍କ ପାଇଁ ଯନ୍ତ୍ରଣା ଦାୟକ। ଆମେ ପୁଲିସ୍‌କୁ ଡାକିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ପୁଲିସ୍‌ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ଆକ୍ରମଣକାରୀମାନେ କିଏ ଏବଂ ସେମାନଙ୍କୁ କିଏ ପଠାଇଥିଲା, ତାହା ଆପେଆପେ ସ୍ପଷ୍ଟ ହୋଇଯିବ।”

ସେମିଷ୍ଟର ପାଇଁ ପଞ୍ଜୀକରଣ ସମ୍ପର୍କରେ ସେ କହିଛନ୍ତି, “ବିଶ୍ୱବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ସେମିଷ୍ଟର ସପକ୍ଷରେ ରହିଛନ୍ତି। ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବେ ପୁଣିଥରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଆମେ ଛାତ୍ରଛାତ୍ରୀମାନଙ୍କୁ କେବେ ହେଲେ ଅଲଗା ଅଲଗା ଗ୍ରୁପରେ ଦେଖିନାହୁଁ। ଆମ ପାଇଁ ସମସ୍ତେ ସମାନ। ଏହାକୁ ନେଇ ବିବାଦ କରା ନଯାଉ।”

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ପ୍ରମୋଦ କୁମାର କହିଛନ୍ତି, “ଭାଙ୍ଗାରୁଜା ଯୋଗୁ କ୍ୟାମ୍ପସରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭଙ୍ଗାରୁଜା ଘଟଣାରେ ସାମିଲ ଥିବା ଛାତ୍ରାଛାତ୍ରୀ ଚିହ୍ନଟ କରାଯାଉଛି। ଗୁଣ୍ଡାଗର୍ଦ୍ଦିରେ ସାମିଲ ଥିବା ଶିକ୍ଷାର୍ଥୀଙ୍କ ଠାରୁ ହିଁ ଭଙ୍ଗାରୁଜାର କ୍ଷତିପୂରଣ ଅର୍ଥ ଆଦାୟ ହେବ।”

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ୟାମ୍ପସରେ ସିସିଟିଭ ଫୁଟେଜକୁ କ୍ରାଇମବ୍ରାଞ୍ଚ ହାସଲ କରିପାରିନାହିଁ। ଜାନୁଆରୀ ୩ରୁ ସର୍ଭର ଅଚଳ ହୋଇଯାଇଥିବାରୁ ସିସିଟିଭି କୌଣସି କଥାକୁ ରେକର୍ଡ କରିପାରି ନଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଆଜି କ୍ରାଇମବ୍ରାଞ୍ଚ ଅଧିକାରୀ ସିସିଟିଭି ଫୁଟେଜ ଆଣିବାକୁ ଜେଏନୟୁ କ୍ୟାମ୍ପସ ଯାଇଥିଲେ। ହେଲେ ଅଧିକାରୀମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏବେ କେବଳ ହ୍ୱାଟସଆପ ଓ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଉପରେ ହିଁ ପୁଲିସ୍‌କୁ ନିର୍ଭର କରିବାକୁ ପଡ଼ିଛି।

LEAVE A REPLY

Please enter your comment!
Please enter your name here