ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ବ୍ରହ୍ମପୁର ନିକଟସ୍ଥ ଉତ୍କଳ ବାଳାଶ୍ରମରୁ ଗତକାଲି ୧୩ ଜଣ ନାବାଳିକା ନିଖୋଜ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି। ଏହାସହିତ ପ୍ରଦେଶ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟି ଘଟଣାର ବିସ୍ତୃତ ତଦନ୍ତ ସହ ସବିଶେଷ ତଥ୍ୟ ରାଜ୍ୟବାସୀଙ୍କ ଆଗରେ ରଖିବାକୁ ମଧ୍ୟ ଲିଖିତ ଭାବେ ଦାବି ଉପସ୍ଥାପନ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ବିଗତ ୧ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩୮ ଜଣ ନାବାଳିକା ନିଖୋଜ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଗୋଟିଏ ଦିନରେ ଗୋଟିଏ ବାଳାଶ୍ରମରୁ ୧୩ ଜଣ ନାବାଳିକା ନିଖୋଜ ହେବା ଏବଂ ପ୍ରାୟ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ସୁରାକ ପାଉନଥିବା ଘଟଣା ବାଳାଶ୍ରମଗୁଡ଼ିକରେ ରହୁଥିବା ନାବାଳକ ଓ ନାବାଳିକାମାନଙ୍କର ସୁରକ୍ଷା କେତେ ବିପନ୍ନ ତାହା ପ୍ରମାଣିତ କରୁଛି। ପ୍ରତ୍ୟେକ ବର୍ଷ ରାଜ୍ୟରେ ଯେଭଳି ଶତାଧିକ ନାବାଳକ ଓ ନାବାଳିକା ନିଖୋଜ ହେଉଛନ୍ତି ଏହା ପଛରେ ଏକାଧିକ ଶିଶୁ ଚାଲାଣ ର‌୍ୟାକେଟ୍ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର କିଛି ଅଧିକାରୀଙ୍କ ସଲାସୁତୁରାରେ ଏହି ର‌୍ୟାକେଟ୍ କାର୍ଯ୍ୟ କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଗତ ୧ ବର୍ଷ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରେ ୭ଟି ବିଭିନ୍ନ ବାଳାଶ୍ରମରୁ ୩୮ ଜଣ ନାବାଳିକା ନିଖୋଜ ହୋଇଛନ୍ତି। ଆହୁରି ଦୁର୍ଭାଗ୍ୟଜନକ ଯେ ଦୁଇଜଣ ନାବାଳିକା ଅନ୍ତେବାସିନୀ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଥିବା ସତ୍ୱେ କୌଣସି ଅଧିକାରୀ ବା ବାଳାଶ୍ରମ କର୍ତୃପକ୍ଷଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଘଟଣା ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଖାମଖିଆଲି ନୀତିକୁ ଦର୍ଶାଉଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ, ୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ୬୫୭୯ ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି। ଏଥିରୁ ୫୦୨୮ ଜଣ ହେଉଛନ୍ତି କେବଳ ନାବାଳିକା। ଏଭଳି ଅଭାବନୀୟ ଓ ହୃଦୟବିଦାରକ ତଥ୍ୟ ପ୍ରମାଣ କରୁଛି ଯେ ରାଜ୍ୟରେ ଅନାଥ ଓ ବିପନ୍ନ ଶିଶୁମାନଙ୍କର ଏକାଧିକ ଚାଲାଣ ର‌୍ୟାକେଟ୍ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ଉକ୍ରଳ ବାଳାଶ୍ରମରେ ହୋଇଥିବା ୧୩ ଜଣ ନାବାଳିକା ଘଟଣାର ତୁରନ୍ତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କ ନିକଟରେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କୁ ସାକ୍ଷାତ କରିବା ସହ ଅବିଳମ୍ବେ ଅଧ୍ୟକ୍ଷା ଘଟଣାସ୍ଥଳ ଗସ୍ତ କରି ରାଜ୍ୟବାସୀଙ୍କ ଆଗରେ ଉକ୍ତ ଘଟଣାର ସବିଶେଷ ତଥ୍ୟର ଖୁଲାସା କରିବାକୁ କଂଗ୍ରେସ ପ୍ରତିନିଧିମଣ୍ଡଳୀମାନେ ଦୃଢ଼ ଦାବି କରିଛନ୍ତି। ଉକ୍ତ କଂଗ୍ରେସ ପ୍ରତିନିଧି ମଣ୍ଡଳୀରେ ରଶ୍ମି ମହାପାତ୍ର, ବୀଣାପାଣି ସାମଲ, ସ୍ୱାଧିନବାଳା ଦାସ, ଶ୍ରୀୟାସ୍ମିତା ପଣ୍ଡା, ସିପ୍ରା ସେନାପତି, ସତ୍ୟପ୍ରକାଶ ନାୟକ, ପଦ୍ମାକର ଗୁରୁ, ନରେଶ ମହାନ୍ତି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here