ରାତି ଅଧରେ ୧୩ ମାରିଲେ ଚମ୍ପଟ; ୩ ଜଣ ସସ୍‌ପେଣ୍ଡ ।

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର): ରାତିର ଅନ୍ଧକାର ସୁଯୋଗ ନେଇ ବାଳାଶ୍ରମରୁ ୧୩ ଜଣ ନାବାଳିକା ଚମ୍ପଟ ମାରିଛନ୍ତି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ୭ ଜଣଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଏହି ଅଭିଯୋଗରେ ୩ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଗତକାଲି ବିଳମ୍ୱିତ ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରେ ରହୁଥିବା ୧୩ ନାବାଳିକା ଚମ୍ପଟ ମାରିଥିଲେ। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଚମ୍ପଟ ମାରିଥିବା ୧୩ ଜଣଙ୍କ ଭିତରୁ ୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୫ ଜଣ, ଜଗନ୍ନାଥପ୍ରସାଦ ଓ ଚିକିଟି ଅଞ୍ଚଳରୁ ଜଣେ ଲେଖାଏଁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି। ସେମାନଙ୍କ ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ପୁଲିସ ଚେଷ୍ଟା ଚଳାଇଛି।

ବ୍ରହ୍ମପୁର ଉପଜିଲ୍ଲା ସିନ୍ଧେ ଦତ୍ତାତ୍ରେୟ ଭାଓସାହେବ ଆଜି ବଳାଶ୍ରମ ଯାଇ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ସିକ୍ୟୁରିଟି ଗାର୍ଡ ଭାଗ୍ୟଶ୍ରୀ, ହାଉସ ମଦର ଲକ୍ଷ୍ମୀ ମହାରଣା ଓ ୱାଚମ୍ୟାନ ପର୍ଶୁରାମ ବେହେରାଙ୍କୁ ଜିଲ୍ଲାପାଳ ସସ୍‌ପେଣ୍ଡ କରିଛନ୍ତି।

Leave a Reply

Your email address will not be published. Required fields are marked *