ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଆସନ୍ତା ଏପ୍ରିଲ୍ ସୁଦ୍ଧା ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନକୁ ନେଇ ଆରମ୍ଭ ହୋଇଛି ରାଜନୈତକ ଛକାପଞ୍ଝା। ସଂଖ୍ୟାଦୃଷ୍ଟିରୁ ୩ଟି ଆସନ ବିଜେଡି ସପକ୍ଷରେ ଯାଉଥିବାବେଳେ ଆଉ ଗୋଟିଏ ଲାଗି ସ୍ଥିତି ଅସ୍ପଷ୍ଟ ରହିଛି। ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡିବ ନା ନାହିଁ ତାହା ନିର୍ଭର କରୁଛି ବିଧାନ ପରିଷଦ ଡିଲ୍ ଉପରେ। ଏସବୁ ଭିତରେ ଶାସକ ଦଳର ନେତାମାନେ ଆରମ୍ଭ କଲେଣି ଲବି।
ସୋରଜୀନି ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ, ରଂଜୀବ ବିଶ୍ୱାଳ। ଆସନ୍ତା ଏପ୍ରିଲ ମାସରେ ଏମାନଙ୍କ କାର୍ଯ୍ୟକାଳ ସରିବା ସହ ଖାଲି ହେବ ତିନି ରାଜ୍ୟସଭା ଆସନ। ତା’ସହିତ ଲୋକସଭାକୁ ନିର୍ବାଚିତ ଅନୁଭବ ମହାନ୍ତିଙ୍କ ସ୍ଥାନ ବି ଖାଲି ରହିଛି । ଏହି ୪ ଆସନ ପାଇଁ କିଏ ଯିବେ ରାଜ୍ୟସଭା, କାହା ଉପରେ ଭରସା କରିବେ ନବୀନ, ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ଆସନ ଯିବା ନିଶ୍ଚିତ। ଏଥିପାଇଁ ଗତ ନିର୍ବାଚନରେ ହାରିଥିବା ଅନେକ ଟପ୍ ନେତା ଆରମ୍ଭ କରିଦେଲେଣି ଲବି। ପଶ୍ଚିମଓଡିଶାରୁ କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ନଳୀନି ପ୍ରଧାନ ପ୍ରମୁଖ ଦାବିଦାର ଥିବା କୁହାଯାଉଛି। ଏପଟେ ସଂଜୟ ଦାଶବର୍ମା, ଦେବାଶିଷ ସାମନ୍ତରାୟ, ମହେଶ୍ୱର ମହାନ୍ତି, ରବୀନ୍ଦ୍ର ଜେନା ଓ ଦେବାଶିଷ ମାରାଣ୍ଡି ମଧ୍ୟ ରେସ୍ରେ ଥିବା ଚର୍ଚ୍ଚା ହେଉଛି। ସେହିପରି ନିର୍ବାଚନ ବେଳେ ନବୀନ ଦୁଇ ପୁରୁଖା ପ୍ରସନ୍ନ ପାଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ଲାଗି ନବୀନ ଖୋଲା ଘୋଷଣା କରିଥିଲେ। ତା’ସହିତ ଅନୁସୂଚିତ ଜାତି ଓ ଜାନଜାତି ଏବଂ ମହିଳାଙ୍କ କଥା ବି ନବୀନଙ୍କୁ ଧ୍ୟାନରେ ରଖିବାକୁ ପଡିବ। ତେବେ ଏସବୁ ଆଶାୟୀ ନା ସବୁଥର ଭଳି ଏଥର ବି କିଛି ସରପ୍ରାଇଜ୍ ଦେବେ ନବୀନ ତାକୁ ନେଇ ଦଳର ଭିତରେ ଚର୍ଚ୍ଚା ଚାଲିଛି ।
ସେପଟେ ଏଥର ରାଜ୍ୟସଭା ନିର୍ବାଚନ ଗଣିତକୁ ଓଲଟାପାଲଟ କରିପାରେ ବିଧାନ ପରିଷଦ ଗଠନ ପ୍ରସ୍ତାବ । ଗତଥର ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡିବ ନା ନାହିଁ ତାହା ନିର୍ଭର କରୁଛି ବିଧାନ ପରିଷଦ ଡିଲ୍ ଉପରେ। କାରଣ ଫେବୃୟାରୀ ମାସରେ ଅଧିବେଶନ ସମୟରେ ବିଧାନ ପରିଷଦ ବିଲ୍ ଆସିବା ନେଇ ବିଜେଡି ଆଶା ରଖିଛି । ସାଂସଦ ପିନାକୀ ମିଶ୍ର ପୂର୍ବରୁ ଏନେଇ ସୂଚନା ଦେଇଥିଲେ। ଆଉ ମାର୍ଚ୍ଚ ମାସରେ ରାଜ୍ୟସଭା ନିର୍ବାଚନ ସମ୍ଭାବନା ରହିଛି। ବିଧାନ ପରିଷଦ ବିଲ୍ ପାସ୍ ହେଲେ ବିଜେପିକୁ ଗୋଟିଏ କି ଦୁଇଟି ଆସନ ଛାଡିପାରେ ବିଜେଡି। ସେପଟେ ଚତୁର୍ଥ ଆସନ ପାଇଁ ଟଣାଓଟରାର ସମ୍ଭାବନା ରହିଛି। କାରଣ ଏନେଇ କାହା ପାଖାରେ ସଂଖ୍ୟା ନାହିଁ। ଏବେ ବିଜେପି-ବିଜେଡି ମଧ୍ୟରେ ମଧୁର ସଂପର୍କ ରହିଛି। ରାଜ୍ୟସଭା ନିର୍ବାଚନ ଏହି ସଂପର୍କକୁ ଅଧିକ ମଜଭୁତ୍ କରିବ ନା ବିଗାଡ଼ିବ ତା ଉପରେ ନଜର ରହିଛି।