ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ଵର) – ଦୁଇଦିନର ଖେଳ ବାତିଲ ହେବା ପରେ ଓଡ଼ିଶା ଓ ତ୍ରିପୁରା ରଣଜୀ ମ୍ୟାଚର ତୃତୀୟ ଦିବସ ଖେଳ ସମ୍ଭବ ହୋଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ତ୍ରିପୁରା ମିଲିନ୍ଦ କୁମାରଙ୍କ ଅପରାଜିତ ଶତକ ବଳରେ ୮୨ ଓଭରରେ ୬ ୱିକେଟ୍ ହରାଇ ୨୮୮ ରନ୍ କରି ପ୍ରଥମ ଇନିଂସ୍ ଘୋଷଣା କରିଛି। ମିଲିନ୍ଦ ୧୦୫ (୧୫୨ ବଲ୍‌, ୧୫ ଚୌକା, ୨ ଛକା) ରନ୍ କରି ଅପରାଜିତ ଥିବା ବେଳେ ମଣିଶଙ୍କର ମୁରାସିଂହ ଦ୍ରୁତ ୭୨ (୮୦ ବଲ୍‌, ୧୨ ଚୌକା, ୧ ଛକା) ଓ ସମ୍ରାଟ୍ ସିଙ୍ଘା ୬୫ ରନ୍ କରି ଆଉଟ୍ ହୋଇଛନ୍ତି।

ଓଡ଼ିଶାର ସଫଳ ବୋଲର ଭାବେ ରାଜେଶ ମହାନ୍ତି ୩ଟି ୱିକେଟ୍ ନେଇଛନ୍ତି। ଜବାବରେ ଓଡ଼ିଶା ଦିବସର ଖେଳ ଶେଷ ସୁଦ୍ଧା ବିନା ୱିକେଟ୍ ହରାଇ ୫ ରନ୍ କରିଛି। ଗୋବିନ୍ଦ ପୋଦ୍ଦାର ୪ ଓ ଶାନ୍ତନୁ ମିଶ୍ର ୧ ରନ୍ କରି ଅପରାଜିତ ରହିଛନ୍ତି। ସୋମବାର ଚତୁର୍ଥ ତଥା ଅନ୍ତିମ ଦିବସରେ ଓଡ଼ିଶା ତ୍ରିପୁରାଠାରୁ ଗୋଟିଏ ରନ୍ ଅଧିକ କରି ଇନିଂସ୍ ଅଗ୍ରଣୀ ହାସଲ କରିବାକୁ ଚାହିଁବ।

ରବିବାର ସକାଳେ ଓଡ଼ିଶା କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତ୍ରିପୁରା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ବିକ୍ରମକୁମାର ଦାସ (୫) ଓ ତନ୍ମୟ ମିଶ୍ର (୪)ଙ୍କୁ ରାଜେଶ ମହାନ୍ତି ପ୍ୟାଭିଲିୟନ୍ ପଠାଇଥିବା ବେଳେ କମଲ ଦାସ ୨୦ ରନରେ ପପୁ ରୟଙ୍କ ଶିକାର ହୋଇଥିଲେ। ୬୫ ରନରେ ୩ ୱିକେଟ୍ ହରାଇ ତ୍ରିପୁରା ସଙ୍କଟରେ ପଡ଼ିଥିଲା ବେଳେ ସମ୍ରାଟ୍ ଓ ମିଲିନ୍ଦ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୯୨ ରନର ଭାଗୀଦାରୀ କରିଥିଲେ।

ସମ୍ରାଟଙ୍କ ଲଢ଼ୁଆ ଇନିଂସରେ ବ୍ରେକ୍ ଲଗାଇଥିଲେ ଭେଟେରାନ୍ ବସନ୍ତ ମହାନ୍ତି। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରଜତ ଦେ(୪)ଙ୍କୁ ଗୋବିନ୍ଦ ପୋଦ୍ଦାର ନିଜର ଶିକାର ବନାଇଥିଲେ। ଏହା ପରେ ମିଲିନ୍ଦ ଓ ମଣିଶଙ୍କର ସକାରାତ୍ମକ ବ୍ୟାଟିଂ କରିଥିଲେ ଏବଂ ଷଷ୍ଠ ୱିକେଟ୍ ପାଇଁ ୧୨୬ ରନ୍ ଯୋଡ଼ି ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ମଣିଶଙ୍କରଙ୍କୁ ରାଜେଶ ଆଉଟ୍ କରିଥିଲେ ଏବଂ ଏହା ପରେ କ୍ୟାପଟେନ୍ ମିଲିନ୍ସ ଇନିଂସ୍ ଘୋଷଣା କରିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ, ପପୁ ଓ ଗୋବିନ୍ଦ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ। ସୂଚନାଯୋଗ୍ୟ, ବର୍ଷା ଯୋଗୁ ମ୍ୟାଚର ପ୍ରଥମ ଦୁଇଦିନ ଖେଳରେ ଟସ୍ ପଡ଼ିପାରି ନଥିଲା।

LEAVE A REPLY

Please enter your comment!
Please enter your name here