ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜଙ୍କ ଉପରେ ଏହାର ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତାଙ୍କ ସହ ପରାମର୍ଶ କରିବେ । ସାମ୍ବାଦିକତାରେ ଦୀର୍ଘ ଦିନର ଅଭିଜ୍ଞତା ଦୃଷ୍ଟିରୁ ଶ୍ରୀ ମଙ୍ଗରାଜଙ୍କ ପରାମର୍ଶକୁ ଗୁରୁତ୍ୱ ଦେବାକୁ ବିଚାର କରାଯାଇଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ନୋଟ୍ ସିଟ୍ ରେ ନିର୍ଦ୍ଦେଶ ପାଇଲା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି ।କେବଳ ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱ ନୁହେଁ, ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ ଗଣମାଧ୍ୟମକୁ ରାଜ୍ୟ ସରକାର ଦେଉଥିବା ବିଜ୍ଞାପନ ବଣ୍ଟନରେ ଶ୍ରୀ ମଙ୍ଗରାଜଙ୍କର ପରାମର୍ଶ ରହିବ । ଅର୍ଥାତ ତାଙ୍କ ପରାମର୍ଶରେ ବିଜ୍ଞାପନ ଆବଣ୍ଟନ ନିଷ୍ପତ୍ତି ନିଆଯିବ । ଏଥିସହ ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଗୁଡ଼ିକରେ ସେ ସମ୍ମାନନୀୟ ଅତିଥି(distinguished guest) ଭାବେ ଯୋଗଦେବେ ବୋଲି ବିଜ୍ଞପ୍ତିନାମାରେ କୁହାଯାଇଛି । ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ଶ୍ରୀ ମଙ୍ଗରାଜ ନିଜର ମୂଳ ଦାୟିତ୍ୱ ଏହି ଦାୟିତ୍ୱକୁ ସ୍ୱତନ୍ତ୍ର ଭାବେ ସମ୍ଭାଳିବେ ।ସୂଚନାଥାଉକି, ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ମାନସ ମଙ୍ଗରାଜଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ଏହି ପଦବୀ ସହ ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ମାତ୍ର ଦୁଇମାସ ହେଲା ଦାୟିତ୍ୱ ନେଇଥିଲେ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବେଶ ଚଳଚଞ୍ଚଳ କରିବାରେ ସକ୍ଷମ ହୋଇଛନ୍ତି ।ଏକଦା ଜଣେ ଦକ୍ଷ ଓ ସଫଳ ସାମ୍ବାଦିକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ମାନସ ନିଜର ଅଭିଜ୍ଞତାକୁ ପାଥେୟ କରି ରାଜ୍ୟର ସାମ୍ବାଦିକମାନଙ୍କ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ ବୋଲି ସାମ୍ବାଦିକମହଲରେ ଆଶା ସଂଚାର ହୋଇଛି ।

LEAVE A REPLY

Please enter your comment!
Please enter your name here