ସଂଗଠନ ସଜାଡ଼ିବ ବିଜେଡି, ନବୀନ ବାଛିବେ ରିଟର୍ଣ୍ଣିଂ ଅଫିସର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାଧାରଣ ନିର୍ବାଚନ ପାଇଁ ଅଟକିଥିବା ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ବିଜେଡି ଏବେ ତ୍ୱରାନ୍ୱିତ କରିଛି। ଆସନ୍ତା ୨ତାରିଖରୁ ପ୍ରାୟ ୨ମାସ ଧରି ସଦସ୍ୟ ସଂଗ୍ରହ ଅଭିଯାନ ପରେ ବ୍ଲକ,ଜିଲ୍ଲା ଓ ରାଜ୍ୟସ୍ତରର ପଦାଧିକାରୀ ଚୟନ କାର୍ଯ୍ୟକ୍ରମ ହେବ। ଏହି କାରଣରୁ ଆସନ୍ତାକାଲି ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନିମନ୍ତେ ରାଜ୍ୟ କାର୍ଯ୍ୟକାରିଣୀ ଦ୍ୱାରା ଆବଶ୍ୟକ କ୍ଷମତା ନ୍ୟସ୍ତ କରାଯିବ ବୋଲି ସୂଚନା ମିଳିଛି।

 

ସେପଟେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସମ୍ପାଦକ ଓ ସାଧାରଣ ସମ୍ପାଦକ ପଦବୀରେ ବହୁ ସଂଖ୍ୟକ ନେତାଙ୍କୁ ଥଇଥାନ କରାଯାଇଥିବାରୁ ଅଧିକାଂଶ ନେତାଙ୍କୁ ବାଦ୍ ମଧ୍ୟ ଦିଆଯିବାକୁ ସ୍ଥିର ହୋଇଛି। ଏବେ ଦଳରେ ଏବେ ୩୪ଜଣ ସାଧାରଣ ସମ୍ପାଦକ ଥିବାବେଳେ ୪୨ଜଣ ସମ୍ପାଦକ ଅଛନ୍ତି। ଏତେ ସଂଖ୍ୟକ ସାଧାରଣ ସମ୍ପାଦକ ଓ ସମ୍ପାଦକ ରଖିବା ସମ୍ଭବପର ନଥିବାରୁ ଏଥର ସଭ୍ୟ ସଂଗ୍ରହ ଅଭିଯାନ ପରେ ପଦାଧିକାରୀ ସଂଖ୍ୟାରେ ବୃଦ୍ଧି ନିମନ୍ତେ ସଂଶୋଧିତ ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ବିଜେଡିର ସାଂଗଠନିକ ନିର୍ବାଚନ ପ୍ରତି ୩ବର୍ଷରେ ଥରେ ସମ୍ପାଦନ ହୋଇଥାଏ। ଏହି ଅବଧି ୨୦୧୯ ଫେବୃୟାରୀ ୨୮ତାରିଖରୁ ଶେଷ ହୋଇଛି। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ସଭାପତିଙ୍କୁ ମିଶାଇ ୮୧ଜଣ ନେତାଙ୍କୁ ସ୍ଥାନ ମିଳିଥାଏ।

Leave a Reply

Your email address will not be published. Required fields are marked *