ଯୌନ ନିର୍ଯାତନା, ଅସଦାଚରଣ ମାମଲାରେ ଅଭିଯୁକ୍ତର ନାମ ଓ ପରିଚୟକୁ ଗୋପନ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଏଣିକି ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ନାମ ଏବଂ ପରିଚୟକୁ ଗୋପନ ରଖିବା ପାଇଁ ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ (ପିଆଇଏଲ୍‌) ମାମଲା ଆଗତ ହୋଇଛି। ସୁପ୍ରିମ୍‌ କୋର୍ଟରେ ଆଗତ ମାମଲାରେ ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତି ବିଶେଷ ଯେ ପର୍ଯ୍ୟନ୍ତ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ନାମ ଓ ପରିଚୟକୁ ଗୋପନ ରଖିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଦେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏ ମାମଲାରେ ନିଜର ମତ ରଖିବାକୁ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁଥ୍‌ ବାର ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏହି ମାମଲାରେ କୁହାଯାଇଛି ଯେ ସଂପ୍ରତି ଅନେକ କ୍ଷେତ୍ରରେ ମିଥ୍ୟା ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲା ଆଗତ ହେଉଥିବା ଦେଖିବାକୁ ମିଳୁଛି। ଏବଂ ବିଚାର ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଉଥିବାର ଅନେକ ଦୃଷ୍ଟାନ୍ତ ମଧ୍ୟ ରହିଛି। ହେଲେ, ଥରେ ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲା ଆଗତ ହୋଇଯିବା ପରେ ଏଥିରେ ଥିବା ଅଭିଯୁକ୍ତର ନାମକୁ ନେଇ ଗଣମାଧ୍ୟମରେ ଏପରି ଚର୍ଚ୍ଚା, ଆଲୋଚନା ଓ ପ୍ରଚାର ଚାଲୁଛି ଯେ ସେଥିରେ କେବଳ ମାତ୍ର ଅଭିଯୁକ୍ତ ନୁହନ୍ତି ବରଂ ତାଙ୍କର ସମଗ୍ର ପରିବାର ସମାଜରେ କଳଙ୍କିତ ହୋଇ ପଡ଼ୁଛନ୍ତି। ଖାଲି ଏତିକି ନୁହେଁ ଅନେକ ମିଥ୍ୟା ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲାର ଶିକାର ହୋଇଥିବା ଅଭିଯୁକ୍ତ ଆତ୍ମହତ୍ୟା କରିଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲାରେ ଅଭିଯୁକ୍ତଙ୍କ ନାମ ଓ ପରିଚୟକୁ ଗୋପନ ରଖିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *