ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇପାରୁନି ନବନିର୍ମିତ ହସ୍ପିଟାଲ କୋଠା !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ଗ୍ରାମପଞ୍ଚାୟତ ଠାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା ଗତ ୧୩ ଡିସେମ୍ବର ୨୦୧୮ ମସିହା ରେ ନବ ନିର୍ମିତ କୋଠା ଉଦ୍ଘାଟନ ହୋଇଯାଇଛି ।

କୋଠା ନିର୍ମାଣ ପାଇଁ ଜଗନ୍ନାଥପୁର ସଦର ମହକୁମା ଅଞ୍ଚଳ ରେ ସରକାରୀ ଜମି ର ଅଭାବ ଥିବାରୁ ସ୍ଥାନୀୟ ଅଧିବାସୀ ପୁରୁଷୋତ୍ତମ ଚୌଧରୀ ଙ୍କ ପରିବାର ବର୍ଗ ୩ ଏକର ଜମି ସାଧାରଣ ଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ।

ଏଠାରେ ବହୁଳ ଅର୍ଥ ବ୍ୟୟ ରେ ନିର୍ମିତ ନୂତନ କୋଠା ଟି କାର୍ଯ୍ୟକ୍ଷମ ହୋଇପାରିନି । ପୁର୍ବ ଭଳି ପୁରୁଣା କୋଠା ରେ ହିଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି । ପ୍ରତ୍ୟେହ ଦିନ ୯ ଘଣ୍ଟା ଠାରୁ ୧୨ ଘଣ୍ଟା ଏବଂ ଅପରାହ୍ନ ୩ ରୁ ସଂଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଏହି ନୂତନ କୋଠା ଖୋଲାଯାଉଛି ।

ତଥାପି ବେଳେ ବେଳେ ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଉନଥିବାରୁ ଏଠାକୁ ଆସୁଥିବା ରୋଗୀ କେନ୍ଦ୍ର ଖୋଲା ଯିବା ଆଶା ନେଇ ଅପେକ୍ଷା କରି କରି ଫେରି ଯାଉଥିବା ଦେଖିବାକୁ ମିଳିଛି ।

ଅନ୍ୟ ସମୟ ରେ ଏହି ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଉନଥିବାରୁ ଦୁର ଦୁରାନ୍ତ ରୁ ଆସୁଥିବା ରୋଗୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି ।

ନୂତନ କୋଠା ନିର୍ମାଣ କରାଯାଇଥିବା ସତ୍ୱେ ପୁରାତନ କୋଠା ରେ ହସ୍ପିଟାଲ ଚାଲୁଥିବାରୁ ଏବଂ ଏଠାକୁ କର୍ମଚାରୀ ମାନେ ଠିକ୍ ଭାବେ ଆସୁନଥିବା ହେତୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଚିକିତ୍ସାଳୟ ରେ ୭ ଜଣ ଡାକ୍ତର ନିଯୁକ୍ତି ପାଇଥିବା ଜଣାପଡ଼ିଛି । ଏହି ଚିକିତ୍ସାଳୟ ର ଦାୟିତ୍ଵ ରେ ରହିଥିବା ଡାକ୍ତର ହିମାଂଶୁ ଦାସ ସପ୍ତାହର ୪ ଦିନ ଏଠାରେ ରହି ଅନ୍ୟ ଦିନ ଗୁଡ଼ିକ ପୁରୁଷୋତ୍ତମପୁର ଠାରେ ରହିଥିବା ତାଙ୍କ ନିଜସ୍ୱ କ୍ଲିନିକ୍ ରେ ବ୍ୟସ୍ତ ରହୁଥିବା ସାଧାରଣ ରେ ଅଭିଯୋଗ ହେଉଛି । ଏଭଳି ଅବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ରୋଗୀ ନିକଟସ୍ଥ ଆନ୍ଧ୍ର ସୀମାରେ ଥିବା ହସ୍ପିଟାଲ ଉପରେ ନିର୍ଭର କରୁଥିବା ଦେଖା ଦେଇଛି ।

ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଆସିଥିବା ରୋଗୀ ଶଯ୍ୟା ଗୁଡ଼ିକ ଏଠାରେ ରଖା ନଯାଇ ଏହାକୁ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଘରେ ରଖି ବ୍ୟବହାର କରୁଥିବା ଅଭିଯୋଗ ହେଉଛି ।

ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ୨ ଗୋଟି ପ୍ରାଇମେରୀ ହେଲଥ ସେଂଟର ରହିଛି । ଡମ୍ବସରା ଓ ପୁଟାସିଂ ଠାରେ ଚାଲୁଥିବା ଏହି ଦୁଇ ଟି କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଅଦ୍ୟାବଧି ୫ ଜଣ ଗର୍ଭବତୀ ମହିଳା ମୃତ୍ୟୁ ବରଣ କରିଥିବା ଖବର ଏହି ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହାର କାରଣ ଅସ୍ପଷ୍ଟ ରହିଛି ଏବଂ ଘଟଣାଟିକୁ ଚପେଇ ଦେବାରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରୟାସ କରୁଥିବା କୁହାଯାଉଛି । ଏ ନେଇ ଏକ ବିଧିବଦ୍ଧ ଅନୁସନ୍ଧାନ କରାଗଲେ ଏହାର ସତ୍ୟତା ପ୍ରକାଶ ପାଇବ ।

ବର୍ତ୍ତମାନ ର ସ୍ବାସ୍ଥ୍ୟ ବିଭାଗ ର ମୁଖ୍ୟ ସଚିବ ଶ୍ରୀ ପ୍ରଫୁଲ କୁମାର ମେହେର୍ଦ୍ଦା ଏବଂ ଯୁଗ୍ମ ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ୍ କୁମାର ଏହି ଜିଲ୍ଲା ର ପୂର୍ବତନ ଜିଲ୍ଲାପାଳ ଭାବେ ରହି ଯାଇଥିବାରୁ ଜିଲ୍ଲା ର ଏହି ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ଦୃଷ୍ଟି ଦେବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *