କ୍ୟୁଣ୍ଟାଲରେ ୧୦ ରୁ ୧୨ କେଜି ଧାନ କଟନୀ ଛଟ୍‌ନୀ ମିଲରଙ୍କ ମନମାନି, ମଣ୍ଡିରୁ ଉଠୁନି ଧାନ ଏସମସ୍ୟା ସମାଧାନ ପାଇଁ ସମାଜବାଦୀ ପାର୍ଟିର ଦାବି …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା) –  କ୍ୟୁଣ୍ଟାଲରେ ୧୦ ରୁ ୧୨ କେଜି ଧାନ କଟନୀ ଛଟ୍‌ନି ମିଲରଙ୍କ ମନମାନି, ମଣ୍ଡିରୁ ଉଠୁନି ଧାନ ଏମିତି ଅନେକ ସମସ୍ୟା ନେଇ ଚାଷୀମାନେ ଏବେ ନାହିଁ ନଥିବା ଅସୁବିଧାରେ ଅଛନ୍ତି । ବିଶେଷ କରି ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ପଶ୍ଚିମାଞ୍ଚଳର ଚାଷୀଙ୍କୁ ହତାଶ କରିଛି ସରକାରଙ୍କ ଆଭିମୁଖ୍ୟ । ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ I ଧାନର ଅଭାବୀ ବିକ୍ରୀକୁ ନେଇ ସେ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ ଖରିଫ ଧାନ ବିକ୍ରିରେ ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ; ମିଲରମାନେ କ୍ରିଣ୍ଟାଲ ପିଛା ୮ କେଜି ପର୍ଯ୍ୟନ୍ତ ଧାନ କାଟି କ୍ରୟ କରିଥିବା ନେଇ ଚାଷୀ ଅଭିଯୋଗ କରିଥିଲେ । ଏହାକୁ ନେଇ ରାଜ୍ୟ ତମାମ୍ ଅସନ୍ତୋଷ ବଢ଼ିଥିଲା, ବିଧାନସଭା ସଭା କମ୍ପିଥିଲା, ଚାଷୀମାନେ ରାସ୍ତାରେ ଧାରଣା ଦେଇଥିଲେ । ଆଶା କରାଯାଉଥିଲା ଯେ, ରବି ଧାନ କ୍ରୟ ବେଳକୁ ହୁଏତ ଏହି ସମସ୍ୟା ଦେଖା ଦେବ ନାହିଁ । ମାତ୍ର ବର୍ତ୍ତମାନ ରବି ଧାନ ବିକ୍ରି ସମୟରେ ଚାଷୀଙ୍କ କଷ୍ଟ ଖରିଫକୁ ବଳି ଯାଇଛି। ସେତେବେଳେ ମିଲର ୮ କିଲୋ କଟନି ଛଟନି କରୁଥିଲେ, ଏବେ ତାହା ୧୨ କିଲୋରେ ପହଞ୍ଚିଛି । ୧୨ କିଲୋ ନ କାଟିଲେ ମିଲର ଧାନ କିଣୁ ନାହାନ୍ତି ଫଳରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ରବି ଧାନ ପଡ଼ି ରହିଛି । ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇ ଯାଇଥିବା ଯୋଗୁଁ ଅନେକ ମଣ୍ଡିରେ ପଡି ରହିଥିବା ଧାନରୁ ଗଜା ହେବା ବି ଦେଖାଗଲାଣି । ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ରବି ଧାନ ବିକ୍ରି ଅବଧି ଆଉ ମାତ୍ର ୧୦ ଦିନ ରହିଛି ହେଲେ ଅଧାରୁ ଅଧିକ ଜିଲ୍ଲାରୁ ଏପର୍ଯ୍ୟନ୍ତ ଉଠିନି ଧାନ । ବର୍ଷା ଯୋଗୁଁ ଓଦା ଧାନକୁ ଚାଷୀ ଶୁଖାଇ ବାଧ୍ଯ ହୋଇ ଶାଗ ମାଛ ଦରରେ ଏବେ ଦଲାଲ୍‌କୁ ବିକ୍ରି କରିବାକୁ ବାଧ୍ୟ ହେଉଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ କଳାହାଣ୍ଡି,ନୂଆପଡା, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଦେଇଛି। ଏହା ଉପରେ ସରକାର ଦୃଢ଼ ପଦକ୍ଷେପ ନେବା ପରିବର୍ତ୍ତେ ନିଜର ଆତ୍ମ ପ୍ରଚାର ପାଇଁ ବର୍ଷ ପୂର୍ତି ଉତ୍ସବ କାର୍ଯ୍ୟକ୍ରମରେ ମାତିଛନ୍ତି। ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଚାଲୁ ହୋଇଥିବାବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏହି କାରଣରୁ ଅନ୍ୟ କୌଣସି ଉପାୟ ନପାଇ ଚାଷୀ ଖୋଲା ବଜାରରେ କ୍ୟୁଣ୍ଟାଲ ପିଛା ମାତ୍ର ୧୫୦୦ରୁ ୨୦୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ, ସେଥିରୁ ପାଖାପାଖି ୧୦ ରୁ ୨୦ ପ୍ରତିଶତ ଚାଷୀଙ୍କ ଟୋକନ୍ ବାତିଲ ହୋଇ ସାରିଲାଣି। ମଣ୍ଡି ଏବଂ ମିଲର ମାନଙ୍କ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ମିଲର୍ସମାନେ ନିଜ ଇଚ୍ଛା ମୁତାବକ ମଣ୍ଡିରୁ ଧାନ ଉଠାଉଛନ୍ତି । ପ୍ରତି କ୍ୟୁଣ୍ଟାଲରେ ୧୦ ରୁ ୧୨ କେଜି ଧାନ କଟନି ଛଟ୍‌ନି କରୁଛନ୍ତି । ଧାନ ସରକାର କିଣୁଛନ୍ତି ନା ମିଲର୍ସ କିଣୁଛନ୍ତି ବୋଲି ଚାଷୀଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହୋଇଛି। ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଅଧିକ ଧାନ ଚାଷ କରିଥିଲେ । ସମବାୟରେ ମଣ୍ଡି ପଞ୍ଜିକରଣ ବେଳେ ଏହି ତଥ୍ୟ ମଧ୍ୟ ଦେଇଥିଲେ । ମାତ୍ର ସରକାରଙ୍କୁ କିନ୍ତୁ ଟୋକନ୍ ଯୋଗାଇବାବେଳେ କମ୍ ପରିମାଣରେ ଧାନ କିଣିବା ପାଇଁ ସେଥିରେ ଉଲ୍ଲେଖ ରହିଛି । ଏହି ଚାଷୀମାନେ ବିଶେଷକରି ଛତିଶଗଡ଼ ଓ ବାହାର ରାଜ୍ୟରୁ ଆସୁଥିବା ବେପାରୀମାନଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏଥିରେ ମୂଳ ଟଙ୍କା ବି ଉଠୁନି ବୋଲି ଶିବ ହାତୀ ଅଭିଯୋଗ କରିଛନ୍ତି। କଳାହାଣ୍ଡି, ବରଗଡ, ବଲାଙ୍ଗୀର, ସୋନପୁର ଆଦି ବହୁ ଜିଲ୍ଲାରେ ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଖରିଫ୍ ଠାରୁ ରବି ପର୍ଯ୍ୟନ୍ତ ଚାଷୀମାନଙ୍କ ଧାନ ବିକ୍ରି ମୁଖ୍ୟ ସମସ୍ୟା ଭାବେ ଠିଆ ହୋଇଛି । ଆରମ୍ଭରୁ ଚାଷୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ରାଜ୍ୟରେ କୃଷି ସମାବେଶ କାହା ପାଇଁ ବୋଲି ସରକାରଙ୍କୁ ଶିବ ହାତୀ ପ୍ରଶ୍ନ କରିଛନ୍ତି । ସରକାର ଚାଷୀଙ୍କ ସମସ୍ୟାକୁ ଗମ୍ଭୀରତାର ସହିତ ବିଚାର କରି ତୁରନ୍ତ ସମାଧାନ କରିବାକୁ ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *