ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ଭିତରେ କସରତ ଆରମ୍ଭ ହୋଇଗଲାଣି । କେଉଁ ଦଳରୁ କିଏ ପ୍ରାର୍ଥୀହବ, କିଏ ଦଳବଦଳ କରିବ ଓ କାହାର ରଣନିତି କଣହବ ଏବେଠାରୁ ନେତାଙ୍କ ମଧ୍ଯରେ ଅଙ୍କକଷା ମଧ୍ୟ ଆରମ୍ଭ ହୋଇ ଯାଇଥିବା ଦେଖିବାକୁ ମିଳିଛି। ହେଲେ ପୁର୍ବ ସବୁଥର ଠାରୁ ଏଥର ନିର୍ବାଚନ ଯେ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ସମ୍ପୁର୍ଣ୍ଣ ରୂପେ ଭିନ୍ନ ହେବ ତାହା ଏବେଠାରୁ ଜଳଜଳ ହୋଇ ଦେଖାଗଲାଣି। କାରଣ ବିଜେଡିକୁ ବାଦ୍ ଦେଲେ ସବୁଦଳ ନିର୍ବାଚନ ପାଇଁ ଏକ ପ୍ରକାର ଅପ୍ରସ୍ତୁତ ଭାବେ ରହିଥିବା ବେଳେ ବିଜେଡି ଭିତରେ ଗୋଷ୍ଠୀ ବିବାଦ ଉଗ୍ରରୁପ ନେଇଥିବାରୁ ତାହା ସେମାନଙ୍କ ପାଇଁ କାଳହବ ବୋଲି ରାଜନୈତିକ ମହଲରେ ଏବେଠାରୁ ଚର୍ଚ୍ଚା ଚାଲିଛି। ଏସବୁ ମଧ୍ୟରେ ବିଜେଡିରୁ ଦୁରେଇବା ପରେ ଗତ ୨୦୧୯ ପରଠାରୁ ଚାରିବର୍ଷ ଧରି ଅନ୍ଯ କୌଣସି ଦଳକୁ ନଯାଇ ଏକ ସ୍ବାଧିନ ଗୋଷ୍ଠୀ ଗଠନ କରି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ସଫଳତା ଗୋଟେଇଥିବା ଶିବ ଗୌଡ ଗୋଷ୍ଠୀ ଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରିଭୁତ ହୋଇଛି। ଏହି ଗୋଷ୍ଠୀ ର ଗୁଣପୁର ନିର୍ବାଚନ ମଣ୍ଡଳୀ ର ଗୁଣପୁର ବ୍ଲକ ଓ ଗୁଣପୁର ପୌର ପରିଷଦ ରେ ଅଧିକ ପ୍ରଭାବ ରହିଥିବା ବେଳେ ଅନ୍ଯ ବ୍ଲକ ମାନଙ୍କରେ ମଧ୍ୟ କିଛି ପରିମାଣ ରେ ପ୍ରଭାବ ରହିଛି। ତେଣୁ ସବୁଦଳ ତାଙ୍କୁ ନବାକୁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳୁଛି। ଅନ୍ଯପକ୍ଷେ ଏହି ଗୋଷ୍ଠୀ ବିଜେଡି ର ଭାସ୍କର ରାଓ ଗୋଷ୍ଠୀସହ ଭଲ ସମ୍ପର୍କ ରେ ରହୁଥିଲେ ମଧ୍ୟ ସୁଧିର ଦାସ ଗୋଷ୍ଠୀ କଡାକଡି ଭାବେ ଗୌଡ ଗୋଷ୍ଠୀ କୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଗୌଡଙ୍କ ସ୍ବାଧୀନ ଗୋଷ୍ଠୀ ଯେଉଁ ଆଡକୁ ଢଳିବେ ସେହି ପ୍ରାର୍ଥୀ ଙ୍କ ଏହି ନିର୍ବାଚନମଣ୍ଡଳୀ ରେ ପଲାଭାରି ରହିପାରେ। ଏହି ନିର୍ବାଚନମଣ୍ଡଳୀ ରେ କଂଗ୍ରେସ ର ପକେଟ୍ ଭୋଟ ରହି ଆସିଛି। ଗତ ତିନି ଦଶନ୍ଧି ଧରି କଂଗ୍ରେସ ଏହି ନିର୍ବାଚନମଣ୍ଡଳୀ ରେ ୪୦ ପ୍ରତିଶତ ଭୋଟକୁ ନିଜ କବଜା ରେ ରଖି ଆସିଛି। ୨୦୦୦ ମସିହାରେ ମୋଟ ପୁଲିଂ ୮୪୩୫୪ ରୁ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ରାମମୁର୍ତ୍ତି ଗମାଙ୍ଗ ୫୧୧୩୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ର ଭାଗିରଥି ଗମାଙ୍ଗ ୨୧୩୪୧ ଭୋଟ ପାଇଥିଲେ। ୨୦୦୪ରେ କଂଗ୍ରେସ ର ହେମାବତୀ ଗମାଙ୍ଗ ୪୧୧୧୧ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିବା ବେଳେ ମେଣ୍ଟପ୍ରାର୍ଥୀ ରାମମୁର୍ତ୍ତି ଗମାଙ୍ଗ ୨୧୨୦୩ ଓ ବିଦ୍ରୋହୀ ପ୍ରାର୍ଥୀ ଭାବେ ଅଶ୍ବିନୀ ଗମାଙ୍ଗ ୧୬୭୪୮ ଖଣ୍ଡ ଭୋଟ ପାଇଥିଲେ। ୨୦୦୯ ରେ ବିଜେଡି ର ରାମମୁର୍ତ୍ତି ମୁଟ୍ଟିକା ୪୧୬୮୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ର ଶିଶିର ଗମାଙ୍ଗ ଙ୍କ ସପକ୍ଷରେ ୨୨୯୩୮ ଖଣ୍ଡ ଭୋଟ ପଡିଥିଲା। ୨୦୧୪ରେ ବିଜେଡିର ତ୍ରିନାଥ ଗମାଙ୍ଗ ୫୯୫୨୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ର ପୁରୁଷୋତ୍ତମ ଗମାଙ୍ଗ ୫୨୧୪୧ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ ରେ
ମୋଟ ୧୪୩୮୨୮ ପୁଲିଂ ରୁ ବିଜେଡିର ରଘୁନାଥ ଗମାଙ୍ଗ ୪୮୮୩୯ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ର ପୁରୁଷୋତ୍ତମ ଗମାଙ୍ଗ ୪୨୫୬୯ ଖଣ୍ଡ ଭୋଟ ପାଇଥିଲେ ଓ ବିଦ୍ରୋହୀ ବିଜେଡି ଗୋଷ୍ଠୀ ର ତ୍ରିନାଥ ଗମାଙ୍ଗ ସ୍ବାଧୀନ ପ୍ରାର୍ଥୀ ହୋଇ ୨୬୩୨୧ ଖଣ୍ଡ ଭୋଟ ପାଇଥିଲେ। ତେଣୁ କଂଗ୍ରେସ ସବୁବେଳେ ଏଠି ଭଲ ପରିସ୍ଥିତି ରେ ଥିଲେ ମଧ୍ୟ ଅଳ୍ପ ବ୍ଯବଧାନରେ ହାରଜିତ୍ ଲାଗି ରହିଥାଏ। ୨୦୧୯ରେ ସ୍ବାଧୀନ ଭାବେ ତ୍ରିନାଥ ଗମାଙ୍ଗ ପାଇଥିବା ଭୋଟରୁ ସିଂହଭାଗ ଶିବ ଗୌଡଙ୍କ ର ବୋଲି କୁହାଯାଉଛି । ତ୍ରିନାଥ ଏବେ ପୁଣି ବିଜେଡିରେ ମିଶିଥିଲେ ମଧ୍ୟ ଶିବ ଗୌଡ ପାଞ୍ଚବର୍ଷ ଧରି ଭିନ୍ନ ଗୋଷ୍ଠୀ କରି ନିଜର ପ୍ରଭାବ ରଖି ଆସିଛନ୍ତି। ପଞ୍ଚାୟତ ନିର୍ବାଚନ ରେ ଗୁଣପୁର ବ୍ଲକ ତାଙ୍କ ସପକ୍ଷରେ ଯାଇଥିବା ବେଳେ ଦୁଇଟି ଜିଲ୍ଲା ପରିଷଦ କ୍ଷେତ୍ରରେ ଗୌଡ ଗୋଷ୍ଠୀ କଂଗ୍ରେସ କୁ ସମର୍ଥନ ଦେଇ ବିଜେଡିକୁ ପରାସ୍ତ କରିବାରେ ସଫଳ ହୋଇଥିଲେ। ପୌର ପରିଷଦ ରେ ମଧ୍ୟ ଏକ ପାଖିଆ ଭାବେ ଏହି ଗୋଷ୍ଠୀ ଅଧ୍ଯକ୍ଷା ଉପାଧ୍ୟକ୍ଷ ସମେତ ୧୯ଟି ଓ୍ବାର୍ଡ ରୁ ୧୨ଟି କାଉନସିଲର ଜିତି ନିଜର ପ୍ରଭାବ ଦେଖେଇଥିଲେ। ବିଭିନ୍ନ ସମବାୟ ନିର୍ବାଚନ ରେ ମଧ୍ୟ ଏହି ଗୋଷ୍ଠୀ ହିଁ ସଫଳତା ପାଇଥିଲା। ଏଣୁ ଏଥର ଏହି ଗୋଷ୍ଠୀ କଂଗ୍ରେସ ସହ ଜଦି ସନ୍ଧି କରିଦିଏ ତାହେଲେ ବିଜେଡି ପାଇଁ ବିପଦ ଆଣିବ ବୋଲି ଷ୍ପଷ୍ଟ ଚିତ୍ର ଏବେଠାରୁ ଦେଖା ଗଲାଣି। କାରଣ ରାମନାଗୁଡା ରେ ଏବେ କଂଗ୍ରେସ ର ବ୍ଲକ ଅଧ୍ଯକ୍ଷ ରହିଥିବା ବେଳେ ଗୁଡାରି, ଚନ୍ଦ୍ରପୁର ଓ ପଦ୍ମପୁର ରେ ମଧ୍ୟ କଂଗ୍ରେସ ର ଅଧିକ ସଂଖ୍ଯାରେ ଭୋଟର ଅଛନ୍ତି। ତେବେ କଂଗ୍ରେସ ର କିଏ ପ୍ରାର୍ଥୀ ହବ ତାକୁନେଇ ଟଣା ଓଟରା ଲାଗି ରହିଛି। ଦଳର ପୁରୁଖା ନେତା ତଥା ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ ଦୌଡରେ ରହିଥିବା ବେଳେ ଯୁବନେତା ସତ୍ଯଜିତ୍ ଗମାଙ୍ଗ ଓ ଅବିନାଶ ଗମାଙ୍ଗ ନୂଆକରି ବାହାରି ଏଇ ଦୌଡରେ ଅଛନ୍ତି। ବିଜେଡିର ରଘୁନାଥ ଗମାଙ୍ଗ ଗତ ପାଞ୍ଚ ବର୍ଷରେ ଲୋକ ପ୍ରିୟତା ଓ ଜନ ସମ୍ପର୍କ ବିଶେଷ ବଢେଇପାରି ନଥିଲେ ମଧ୍ୟ ଦୁର୍ନୀତିର ଛିଟା ତାଙ୍କ ଦେହରେ ଲାଗିନି। ହେଲେ ଡାକ୍ତରଖାନା ମାନଙ୍କରେ ଡାକ୍ତର ଅଭାବ, ବଡନାଳ ଜଳସେଚନ ପ୍ରକଳ୍ପ ପ୍ରତି ଅବହେଳା ଓ ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ନହେବା, ଗୁଣପୁର ଜିଲ୍ଲା ମାନ୍ଯତା ଦାବିକୁ ଅଣଦେଖା କରିବା ଇତ୍ଯାଦି ସମେତ କେତେକ ଆଞ୍ଚଳିକ ପ୍ରସଙ୍ଗରେ ବିଧାୟକ ଙ୍କ ପ୍ରତି ଜନ ଅସନ୍ତୋଷ ରହିଥିବା ପରିଲକ୍ଷିତ ହୁଏ। ଏଥର କିନ୍ତୁ ବିଜେଡିର ରଘୁନାଥ ଗମାଙ୍ଗ ଙ୍କ ସହ ତ୍ରିନାଥ ଗମାଙ୍ଗ ଓ ଅଶ୍ବିନୀ ଗମାଙ୍ଗଙ୍କ କେତେକ ନୂଆ ପାର୍ଥୀ ମଧ୍ୟ ବିଜେଡି ଟିକଟ୍ ଦୌଡରେ ଅଛନ୍ତି। କାଳେ ମହିଳାଙ୍କ ଭାଗରେ ଏହି ଆସନ୍ନ ପଡିପାରେ ବୋଲି ଭାବି ଏବେଠାରୁ ବିଜେଡି ନେତାମାନେ ମହିଳା ପ୍ରାର୍ଥୀ ଖୋଜିବା କାମରେ ମଧ୍ୟ ଲାଗିଥିବା ଦେଖାଯାଇଛି। ଏହି ନିର୍ବାଚନମଣ୍ଡଳୀ ରେ ବିଜେପି ଅବସ୍ଥା କିନ୍ତୁ ଶୋଚନୀୟ ହୋଇପଡ଼ିଛି। ନା ଏବେସୁଦ୍ଧା ଦଳର କିଏ ପ୍ରାର୍ଥୀ ଅଛି ନା କୌଣସି ନେତା ତୃଣମୂଳସ୍ତରରେ ଅଛନ୍ତି। ଖାଲି ଗୋଟିଏ ସାଇନ୍ ବୋର୍ଡ ପାର୍ଟି ଭଳି ରହିଛି। ୨୦୦୦ ମସିହା ଠାରୁ କ୍ରମାଗତ ଭାବେ ଦଳର ଭୋଟ ପ୍ରତିଶତ ଖସିଆସି ଏବେ ପ୍ରାର୍ଥୀ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି। ୨୦୦୦ ମସିହାରେ ମେଣ୍ଟ ପ୍ରାର୍ଥୀ ଭାବେ ବିଜେପି ପ୍ରାର୍ଥୀ ଏଠାରେ ୫୧୧୩୨ ପାଇଥିବା ବେଳେ ୨୦୦୪ ରେ ୨୧୨୦୩, ୨୦୦୯ରେ ୧୨୪୪୧, ୨୦୧୪ରେ ୧୫୫୯୬, ୨୦୧୯ରେ ୧୬୪୯୧ ଖଣ୍ଡ ଭୋଟ ପାଇ ତଳମୁହାଁ ହୋଇପଡିଛି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଅନେକ ସ୍ଥାନରେ ପ୍ରାର୍ଥୀ ଦେଇପାରି ନଥିବା ବେଳେ ଫଳାଫଳ ମଧ୍ୟ ଶୂନ ହୋଇଥିଲା। କୌଠି ବି ଖାତ ଖୋଲିପାରି ନଥିଲା। ବିଜେପିରେ ଡଃ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ ମିଶିବା ପରେ ବହୁ ପୁରୁଖା ନେତା ଦଳରୁ ଦୁରେଇ ଯାଇଥିଲେ। ଏବେ କିନ୍ତୁ ଗମାଙ୍ଗ ଙ୍କ ଗୋଷ୍ଠୀ ଆଉ ବିଜେପିରେ ନାହାନ୍ତି । ତେଣୁ ବିଜେପିର ଏଠି ଏକ ପ୍ରକାର ଭାଡି ଖାଲି ହୋଇଯାଇଛି। ହେଲେ ଗମାଙ୍ଗ ଙ୍କ ପରିବାର ମଧ୍ଯ କଂଗ୍ରେସ ଆଡକୂ ମୁହାଁଉଥିବାର ଖବର ଆସୁଛି । ତେବେ ଏହି ନିର୍ବାଚନମଣ୍ଡଳୀ ରେ ଗମାଙ୍ଗ ଙ୍କ ବିଶେଷ ପ୍ରଭାବ ନଥିବା କାରଣରୁ ସ୍ଥାନୀୟ କଂଗ୍ରେସିଆ ମାନେ ସେତେଟା ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳୁଛି।
Home Breaking news ସ୍ଵାଧିନ ଗୋଷ୍ଠୀ ଉପରେ ସମସ୍ତଙ୍କ ନଜର – ବିଜେଡିକୁ ଅନ୍ତଃକନ୍ଦଳ ବାଧକ,ନୂଆ ପ୍ରାର୍ଥୀ ସନ୍ଧାନରେ କଂଗ୍ରେସ;ବିଜେପି...