ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଡିସେମ୍ବର ୨୧ ତାରିଖରୁ ତିନିଦିନ ବ୍ଯାପି ଗୁଣପୁର ଠାରେ ଉପଖଣ୍ଡ ସ୍ତରୀୟ ଚଇତି ପାଳନ ହବ। ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ରେ ଅନୁଷ୍ଠିତ ବୈଠକରେ ଆଜି ଏହି ନିଷ୍ପତ୍ତି ହବାସହ ଏହି ଉତ୍ସବର ନାମ ପରିବର୍ତ୍ତନ ମଧ୍ୟ କରାଯାଇଛି। ସବୁବେଳେ ଚଇତି ଇଡିତାଲ ରହି ଆସୁଥିବା ବେଳେ ଗତବର୍ଷ ଏଥିରେ ଇଡାଇ ଯୋଡା ଯାଇଥିଲା ଏଥର କିନ୍ତୁ ଇଡାଇକୁ କଟାଯାଇ କେବଳ ଇଡିତାଲ ରଖିବାକୁ ବହୁ ସଭ୍ଯଙ୍କ ପ୍ରସ୍ତାବକୁ ବୈଠକରେ ଗ୍ରହଣ କରାଯାଇ ଥିଲା। ସେହିପରି ପ୍ରଥମ ଦିନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆସୁଥିବା ଆଜ୍ଞାମାଳ ଶୋଭାଯାତ୍ରା ରେ ପଦ୍ମପୁର ବ୍ଲକର ମରିଚଗୁଡାରେ ଥିବା ଅକ୍ଷର ବ୍ରହ୍ମ ମାତାରବନମ୍ ପିଠରୁ ମଧ୍ୟ ଆଜ୍ଞାମାଳ ଆସି ସାମିଲ ହବ ବୋଲି ନିଷ୍ପତ୍ତି ହୋଇଛି।
ଅନ୍ଯପକ୍ଷେ ଏହି ଲୋକ ମହୋତ୍ସବ ଟି ପ୍ରସାଶନିକ ଉତ୍ସବ ହୋଇଯାଉଛି ଓ ଲୋକଙ୍କ ଭାଗିଦାରିତା କମିଯାଉ ଥିବା ପ୍ରସଙ୍ଗ କେତେକ ସଭ୍ଯ ଉଠାଇବା ପରେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ଓ ଡିସିସି ସଭାପତି ବିଜୟ ଗମାଙ୍ଗ ଙ୍କୁ ନେଇ ଏକ ଯୁଗ୍ମ କମିଟି ଗଢା ଯାଇଥିଲା। ଏହି କମିଟି ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସମନ୍ବୟ ରଖିବ ବୋଲି କୁହା ଯାଇଥିଲା। ଷ୍ଟଲ ବୁକିଂ ଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ବ ପୌର ପରିଷଦ ଉପରେ ନ୍ଯସ୍ତ କରାଯାଇ ଥିଲା। ପ୍ରତେକ ଥର ଭଳି ଏଥର ମଧ୍ୟ ମିନି ମାରାଥନ, ବରିଷ୍ଠ ନାଗରିକ ପାଦଚଲା ପ୍ରତିଯୋଗିତା, ଦୌଡି ଟଣା,ଆଦି ବାସି ଚିତ୍ରାଙ୍କନ, ଓଡିଆ ଖାଦ୍ଯ ପ୍ରତିଯୋଗିତା ଭଳି ଅନ୍ଯାନ୍ଯ ପ୍ରତିଯୋଗିତା ଅନୁଷ୍ଠିତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ଦିନରେ ଶୋଭାଯାତ୍ରା ଓ ଶେଷ ଦିନରେ କବିତା ପାଠୋତ୍ସବ କରିବାକୁ ନିଷ୍ପତ୍ତି ହୋଇଥିଲା। ଉପ ଜିଲ୍ଲାପାଳ ଲଳିତ କୁମାର କଅଁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ରଘୁନାଥ ଗମାଙ୍ଗ, ପୁର୍ବତନ ମୁଖ୍ୟମନ୍ତ୍ରୀ ଡଃ ଗିରିଧର ଗମାଙ୍ଗ ଓ ପୌରାଧ୍ୟକ୍ଷା ମମତା ଗୌଡ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପିଏ ଆଇଟିଡିଏ ଶାନ୍ତିପ୍ରଭା ପ୍ରଧାନ, ଆଇଆରବି କମାଣ୍ଡେଣ୍ଟ ବ୍ରଜ ମୋହନ ନାୟକ,ମଞ୍ଚାସିନ ଥିଲେ । ଅନ୍ଯ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ଯକ୍ଷା ଝିଲି ଶବର, ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ, ଇଡିତାଲ ଚିତ୍ରଶିଳ୍ପୀ ଲକ୍ଷ୍ମଣ ଶବର, ଶବର ସାଂସ୍କୃତିକ ସଂଘ ର ସଭାପତି ଚକ୍ରପାଣି ଶବର, ମାତାରବନମ ଆଦିବାସି ସଂଘର ସଭାପତି ଏଗେନେସ ଗମାଙ୍ଗ, ସେବା ସମାଜ ର ସମ୍ପାଦିକା ରାଜେସ୍ବରୀ ଦଳେଇ, ଗୁଣପୁର କଳା ପରିଷଦ ର ସଭାପତି କୈଳାସ ଦାସ, ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପାଢି, ରମେଶ ଲିମା, ଏସ. ବାବା ପ୍ରଶାଦ, ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ, ତହସିଲଦାର ଲିଳାବତୀ ଆଚାର୍ଯ୍ୟା, ଆଇଆଇସି ଉତ୍ତମ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।