ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର ; ପରିବାରଙ୍କୁ ହସ୍ତାନ୍ତର କଲା ଗୁଣପୁର ଉପଖଣ୍ଡ ପ୍ରଶାସନ ….!
ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗତ ଦଶ ଦିନ ଧରି ଗୁଣପୁର ସହର ଓ ଆଖ ପାଖ ଅଞ୍ଚଳରେ ଅସହାୟ ଅବସ୍ଥାରେ ଘୁରି ବୁଲୁଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ରଖିବା ସହ ପରିଚୟ ଖୋଜି ବାହାର କରି ବୃଦ୍ଧାଙ୍କୁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି ଗୁଣପୁର ଉପଖଣ୍ଡ ପ୍ରଶାସନ । ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର ବୃଦ୍ଧା ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ବୃଦ୍ଧାଶ୍ରମରେ ରଖିବା ସହ ଠିକଣା ଆଦି ପଚାରି ବୁଝିଥିଲେ । ବୃଦ୍ଧା ଜଣଙ୍କ କେବଳ ରୂପକା ଗ୍ରାମ କହିବା ପରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ବୃଦ୍ଧା ଜଣଙ୍କ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅଧିନସ୍ତ ପଣ୍ଡୁରୁ ମଣ୍ଡଳର ରୂପକା ଗ୍ରାମର ବୋଲି ଜଣା ପଡିବା ପରେ ତାଙ୍କ ପରିବାରଙ୍କ ନିକଟଙ୍କୁ ବୃଦ୍ଧାଙ୍କ ଫୋଟ ପଠା ଯାଇଥିଲା । ପରିବାର ଲୋକ ତାଙ୍କୁ ଚିହ୍ନିବା ପରେ ତାଙ୍କ ନାମ କେ ତାଭିଟିଆମ୍ମା ବୋଲି ସୂଚନା ଦେଇଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ତାଙ୍କ ପରିବାର ସହ ଯୋଗାଯୋଗ କରି ଗୁଣପୁର ଆସି ଅଵଶ୍ୟକ କାଗଜପତ୍ର ଦାଖଲ କରି ତାଭିଟିଆମ୍ମାଙ୍କୁ ନେବାପାଇଁ ତାଙ୍କ ନାତି କେ ମାଧବ ଓ କେ ରାମୋଜିଙ୍କୁ ଜଣାଇଥିଲେ । ଆଜି କେ ମାଧବ, କେ ରାମୋଜି ଗୁଣପୁର ପହଁଚିବା ପରେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ବୃଦ୍ଧାଶ୍ରମ ଅଧିକ୍ଷକ ସଂଗ୍ରାମ ଶତପଥିଙ୍କ ଉପସ୍ଥିତିରେ ତାଭିଟିଆମ୍ମାଙ୍କୁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା । ନିଜ ଜେଜେମାଙ୍କୁ ପାଖରେ ପାଇଁ ତାଙ୍କ ପରିବାର ଲୋକ ଖୁସି ବ୍ୟକ୍ତ କରିଛନ୍ତି ।

