ଟୋଲମୁକ୍ତ ହେଲା ବଂଶଧାରା ପୋଲ;୨୮ବର୍ଷ ଧରି ଚାଲିଥିଲା ଟିକସ ଆଦାୟ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ର ବଂଶଧାରା ପୋଲଦେଇ ଯାତାୟତ କଲେ ଆଉ ଟୋଲ ଟିକସ ଦବାକୁ ପଡିବନି। ରାଜ୍ଯ ସରକାରଙ୍କ ନିଷ୍ପତ୍ତି କ୍ରମେ ୧୬ ତାରିଖ ମଧ୍ଯ ରାତ୍ରୀରୁ ଉଠାଇ ଦିଆଯାଇଛି ଏହି ଟୋଲଗେଟ୍। ଫଳରେ ୨୮ ବର୍ଷ ପରେ ଟୋଲ୍ ମୁକ୍ତ ହୋଇଛି ଏହି ବଂଶଧାରା ପୋଲ। ଏହି ପୋଲ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଅନେକ ଦିନରୁ ବାହାରି ସାରିଥିଲେ ମଧ୍ୟ ବହୁବର୍ଷ ହେବ ଏହି ପୋଲର ପ୍ରବେଶ ପଥରେ ଟୋଲ ଟିକସ୍ ଆଦାୟ ଲୋକଙ୍କ ପାଇଁ ଏକ ପ୍ରକାର ଜରିମାନା ସଦୃଶ୍ୟ ହୋଇଥିଲା। ଏନେଇ ଅନେକ ବାର ଟୋଲ୍ ଗେଟ୍ ଉଠାଇବା ପାଇଁ ଲୋକଙ୍କ ଦାବୀ ଓ ଲୋକ ପ୍ରତିନିଧି ମାନଙ୍କ ବିଧାନସଭାରେ ପ୍ରଶ୍ନ ପରେ ମଧ୍ୟ ଓଡିଶା ସେତୁ ନିର୍ମାଣ ନିଗମ ପ୍ରତେକ ବର୍ଷ ଟୋଲ ଟିକସ ସଂଗ୍ରହ ପାଇଁ ଟେଣ୍ଡର କରି ମୋଟା ଅଙ୍କର ଅର୍ଥ ପାଉଥିଲା। ଟେଣ୍ଡରଧାରୀ ମାନେ ଏହି ପୋଲଦେଇ ଯାତାୟତ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଚଢା ଟିକସ ଆଦାୟ କରି ଚାଲିଥିଲେ।

ଏହି ଘଟଣା କୁ ନେଇ ଅନେକ ସମୟରେ ବିଶୃଙ୍ଖଳା ଉପୁଜୁଥିଲା। ସାଧାରଣ ଲୋକେ ଅନିଚ୍ଛା ସତ୍ବେ ବାଧ୍ଯହୋଇ ଏହି ଅର୍ଥ ଦେଇ ଆସୁଥିଲେ। ୧୯୮୬ ମସିହାରେ ଭିତ୍ତିପ୍ରସ୍ତ ପଡିଥିବା ଏହି ପୋଲ ନିର୍ମାଣ ଶେଷହୋଇ ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ। ଏହାପରେ ଗୁଣପୁର ଅଞ୍ଚଳର ଉନ୍ନତି କ୍ଷେତ୍ରରେ ଏହି ପୋଲ ଅନେକ ସହାୟକ ହୋଇଥିଲା। ଭିତ୍ତିପ୍ରସ୍ତର ସ୍ଥାପନ ଓ ଟେଣ୍ଡର ପରେ କାର୍ଯ୍ଯଆରମ୍ଭ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ଭାବେ ଅନେକ ଦିନ ପଡି ରହିଥିବା ଏହି ବଂଶଧାରା ପୋଲ ନିର୍ମାଣ କୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ବିଜୁବାବୁ ଙ୍କ ଅବଦାନକୁ ସବୁବେଳେ ଗୁଣପୁର ବାସି ମନେ ପକାଇ ଆସୁଛନ୍ତି। ହେଲେ ପୋଲ ନିର୍ମାଣ ପାଇଁ ମୋଟ ସାଢେ ୩ କୋଟି ଟଙ୍କା ବ୍ଯୟ ହୋଇଥିବା ବେଳେ ବାର୍ଷିକ ୧୦ ଲକ୍ଷ ଟୋଲ ଟିକସ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ଯ କରି ୧୯୯୪ ପରଠାରୁ ଟୋଲ ଟିକସ ସଂଗ୍ରହ ଆରମ୍ଭ ହୋଇଥିଲା। ଏହା କ୍ରମେପେ ବଢିକି ୩୦ ଲକ୍ଷ, ୩୬ ଲକ୍ଷ, ୪୬ ଲକ୍ଷ ହୋଇ ଚଳିତ ଥର ବାର୍ଷିକ ୫୧ ଲକ୍ଷ ରେ ଟେଣ୍ଡରଧାରୀ ଟେଣ୍ଡର ପାଇଥିଲେ। ଫଳରେ ୧୦ ଚକିଆ ଯାନ ଠାରୁ ଯିବା ଆସିବା ପାଇଁ ୩୦୦, ଅନ୍ଯ ବସ୍, ଟ୍ରକ୍ ଓ ଟ୍ରାକ୍ଟର ଠାରୁ ଯିବା ଆସିବା ପାଇଁ ୩୦, କାର୍ ଗୁଡାକ ଠାରୁ ୧୫ ଓ ଅଟୋ ପାଇଁ ଯିବା ଆସିବା ୭ଟଙ୍କା ଟିକସ ଆଦାୟ ହେଉଥିଲା। ସରକାର ଙ୍କ କ୍ଯାବିନେଟ୍ ନିଷ୍ପତ୍ତି ପରେ ଗତକାଲି ମଧ୍ୟ ରାତ୍ରିରୁ ଏହି ଟିକସ ସଂଗ୍ରହ ସବୁଦିନ ପାଇଁ ବନ୍ଦ ହୋଇଛି। ଯାହା ଫଳରେ ଲୋକଙ୍କ ଅନେକ ଦିନର ଦାବି ସରକାର ପୁରଣ କରିଥିବାରୁ ଅଞ୍ଚଳ ବାସି ଖୁସି ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *