ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରାଲିରେ ବୁହା ହେଲେ ହିତାଧିକାରୀ…!

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ କୁମାର ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)-ପରିଣତ ବୟସରେ ସାମନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଓଡ଼ିଶାରେ ନବୀନ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି। ହେଲେ ବାସ୍ତବରେ ଏଭଳି ଅନେକ ବୟସ୍କ ରହିଛନ୍ତି ଯେଉଁମାନେ ଭତ୍ତା ନେବାରେବି ଅସମର୍ଥ ଅଟନ୍ତି। ପାରଳାଖେମୁଣ୍ଡି ସହରର ୧୨ ନଂ ୱାର୍ଡରେ ଦେଖାଦେଇଛି ଭତ୍ତା ନେବାକୁ ଯିବାର ବିକଳ ଚିତ୍ର। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା। ଚାଲିବା ପାଇଁ ପାଦରେ ବଳ ନାହିଁ। ଅଭାବୀ ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ମିଳୁନଥିଲା ବାର୍ଦ୍ଧକ୍ୟ ଭତ୍ତା। ଗତ ତିନି ମାସ ହେଲା ସେ ପାଉନଥିଲେ ବାର୍ଦ୍ଧକ୍ୟ ଭତ୍ତା। ଭତ୍ତା ପାଇଁ ଲବଙ୍ଗ ନାତି ବହୁବାର ବ୍ୟାଙ୍କ ଯାଇ ଖାଲି ହାତରେ ଫେରିଛନ୍ତି। ଭତ୍ତା ଟଙ୍କା ପୌର ପରିଷଦର କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଥିବା ଲବଙ୍ଗଙ୍କ ନାତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଏହା ପରେ ଲବଙ୍ଗଙ୍କୁ ତାଙ୍କ ଝିଅ ଡାଳିମ୍ବ ବେଣିଆ ଏକ ଟ୍ରଲିରେ ବୋହି ନେଇଥିଲେ ପୌର ପରିଷଦର କାର୍ଯ୍ୟାଳୟକୁ। ସେ ଚିତ୍ର ଥିଲା ଅତି ଦୟନୀୟ। କାଠ ପଟା ପଡ଼ିଥିବା ଅଣଓସାରିଆ ଟ୍ରଲିରେ ଜାକିଜୁକି ହୋଇ ଲୁହଭରା ଆଖିରେ ଶୋଇଛନ୍ତି ଲବଙ୍ଗ ମାଉସୀ। ନିଜ ମୁଣ୍ଡକୁ ଟ୍ରଲିର କାଠ ପଟାରେ ରଖିବାକୁ ସେ ସାହସ କରିପାରୁ ନାହାନ୍ତି। ତଥାପି ମୁଣ୍ଡକୁ ତଳେ ରଖିବାକୁ ସେ ଚେଷ୍ଟା କରୁଛନ୍ତି। ସେପଟେ ନାତି , ଆଈର ମୁଣ୍ଡକୁ ଧରୁଛନ୍ତି। କୁଆଡେ ତାଙ୍କ ମୁଣ୍ଡ ଟ୍ରଲି ପଟାରେ ବାଡେଇଯିବ କି? ଟ୍ରଲିରେ ବୁହାହୋଇ ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟାଳୟକୁ ଆସିବା ପରେ ଲବଙ୍ଗଙ୍କୁ ମିଳିଲା ବକେୟା ଭତ୍ତା। ଡିବିଟି ସିଷ୍ଟମକୁ ବନ୍ଦ କରି ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର। ଯେଉଁ ହିତାଧିକାରୀମାନେ ବିକଳାଙ୍ଗ ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ଏହି ଘୋଷଣା କେବଳ ଘୋଷଣାରେ ରହିଗଲା ପରି ମନେ ହେଉଛି। କାରଣ ଯଦି ଅସହାୟ ବାର୍ଦ୍ଧକ୍ୟ ଭତ୍ତା ଘରେ ଦେବାର ବ୍ୟବସ୍ଥା ହୋଇଥିଲା , ତାହାହେଲେ ବୃଦ୍ଧା ଲବଙ୍ଗ ଙ୍କୁ କାହିଁକି ଟ୍ରଲିରେ ବୁହା ହେବାକୁ ପଡ଼ିଲା? ଜିଲ୍ଲା ସଦର ମହକୁମାରେ ଯଦି ଏପରି ଚିତ୍ର , ତାହାହେଲେ ଜିଲ୍ଲାର ଅଭ୍ୟନ୍ତରଣ ଅଞ୍ଚଳର ଲୋକେ କିଭଳି ସରକାରଙ୍କ ସୁବିଧା ସୁଯୋଗ ପାଉଥିବେ ତାହା ଏବେ ପ୍ରଶ୍ନବାଚୀ । ଏନେଇ, ଆଲୋଚନା ପାରଳାଖେମୁଣ୍ଡି ପୌର ପରିଷଦର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ କହିଛନ୍ତି , ଘଟଣାର ଅନୁଧ୍ୟାନ କରିବା ସହ କାର୍ଯ୍ୟନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *