Site icon Ethara Sambhala

ବୃଦ୍ଧି ପାଉଛି ବେଆଇନ ବାଲି ଓ ଗୋଡି ବ୍ୟବସାୟ,ରାତିରେ ଚୋରୀ ଦିନରେ ବିକ୍ରି ; ପ୍ରଶାସନ ନୀରବ ଦ୍ରଷ୍ଟା …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ସହରରେ ଦିନକୁ ଦିନ ବେଆଇନ ବାଲି ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି।ବାଲି ମାଫିଆ ମାନେ ବିଭିନ୍ନ ବାଲି ସଜ୍ଜା ରୁ ରାତି ତମାମ ବାଲି ଚୋରୀ କରାଯାଇ ଦିନରେ ଚଢା ଦରରେ ବିକ୍ରି କରୁଛନ୍ତି।ଏଭଳି କି ମୁଖ୍ୟ ରାସ୍ତା କଡ଼ ଠାରୁ ଆରମ୍ଭ କରି ବିଭିନ୍ନ ଖେଳ ପଡିଆ,ଧର୍ମାନୁଷ୍ଠାନ, ନବ ନିର୍ମିତ୍ତ ସରକାରୀ କାର୍ଯ୍ୟାଳୟ ନିକଟରେ ବାଲି ଜମା କରି ବ୍ୟବସାୟୀ ମାନେ ବେପାର କରି ମାଲାମାଲ୍ ହେଉଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ସାନ ନଦୀ ଏବଂ ଗୁଣପୁର – ଗଜପତି ଜିଲ୍ଲା ସୀମାନ୍ତ ବାଡ଼ି ଗାଁ ବଂଶଧାରା ନଦୀ ଶଯ୍ୟାରୁ ଚୋରା ବାଲି ଉଠାଇ କଳା ବଜାରୀ ହେଉଥିବା ଅଭିଯୋଗ ହୋଇଛି । ବାଲି ମାଫିଆ ମାନେ ମଧ୍ୟ ରାତ୍ରରୁ ଭୋର ୫ ଟା ପର୍ଯ୍ୟନ୍ତ ଶହ ଶହ ଟ୍ରାକ୍ଟର ଯୋଗେ ବାଲି ପରିବହନ କରି ଗୁଣପୁର ସହରର ବିଭିନ୍ନ ସ୍ଥାନରେ ଗଛିତ ରଖୁଛନ୍ତି। ଫଳରେ ବସ୍ତି ବାସିନ୍ଦା ମାନେ ଶାନ୍ତିରେ ଶୋଇ ପାରୁ ନଥିବା ପ୍ରକାଶ କରିଛନ୍ତି। ସେହିଭଳି ପଡୋଶୀ ଆନ୍ଦ୍ର ରୁ ବ୍ୟାପକ ପରିମାଣରେ ଭାରିଯାନ ଯୋଗେ ଚିପସ ଲୋଡ଼ ଆଣି ରାତ୍ରରେ ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ ଗଛିତ ରଖି ବିକ୍ରି କରାଯାଉଛି। ଏଭଳି କାର୍ଯ୍ୟ ବର୍ଷ ତମାମ ଲାଗି ରହୁଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ସରକାର ରାଜସ୍ୱ ହରାଉ ଥିବାବେଳେ, ବାଲି , ଗୋଡି,ମାଫିଆମାନେ ନିଜ ଆୟ ବୃଦ୍ଧି କରିବାରେ ଲାଗି ପଡିଛନ୍ତି। ଏହାଏକ ଭଲ ବ୍ୟବସାୟ ହୋଇଥିବାରୁ ସମସ୍ତ ପ୍ରକାର କୌଶଳ ଆପଣେଇ ନେଉଛନ୍ତି ବାଲି ମାଫିଆ ସ୍ଥାନୀୟ ବାବୁଲି ନଗର ଅଞ୍ଚଳ, ବାଣୀଶ୍ରୀ ବିହାର, ମହିମା ନଗର ଆଦି ଅଂଚଳରେ ଶହ ଶହ ବାଲି ,ଗୋଡିଲୋଡ଼ ଗଛିତ ଥିବା ଦେଖିବାକୁ ମିଳୁଛି। ରାତିରେ ମନଇଚ୍ଛା ଏଭଳି ପରିବହନ ହେଉଥିବା ବେଳେ ରାତ୍ରକାଳୀନ ପେଟ୍ରୋଲିଂ କିଭଳି ହେଉଛି ଏଠାରୁ ସ୍ୱଷ୍ଟ ବାରି ହେଉଛି ବୋଲି ବୁଦ୍ଧି ଯିବି ମହଲରେ ଅଭିଯୋଗ ହୋଇଛି । ବ୍ୟାପକ ବାଲି, ଗୋଡି ପରିବହନ ଯୋଗୁଁ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇ ପଡୁଥିବା ଉକ୍ତ ଅଞ୍ଚଳ ଏବଂ ସହର ବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ଏସବୁ ଦେଖି ବି କାହିଁକି ନୀରବ ଦ୍ରଷ୍ଟା ସାଜିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ରାଜସ୍ୱ ବିଭାଗ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଚୋରା ବାଲି ଚାଲାଣ କୁ ରୋକିବାରେ ସକ୍ଷମ ହୋଇ ପାରୁନଥିବା ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଉଛି। ତୁରନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଗଛିତ ଥିବା ବ୍ୟାପକ ବାଲି ଗୁଡିକୁ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ବାଲି ମାଫିଆଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧି ଜୀବି ମହଲରେ ଦାବି ହୋଇଛି ।

Exit mobile version