!!! ଗଜପତି ଜିଲ୍ଲା ରୁ ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିଡିଏମଓ ଙ୍କ କାର୍ଯ୍ୟାଳୟ ପରିସରରୁ ଏ ଏନ୍ ଏମ୍ ତାଲିମ ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଏ ଏନ୍ ଏମ୍ ତାଲିମ ଛାତ୍ରୀ ମାନେ ହେପାଟାଇଟିସ ରୋଗ ସମ୍ପର୍କିତ ସଚେତନତା ବ୍ୟାନର ଧରି ନଗର ପରିକ୍ରମା କରି ଜନସଚେତନତା କରିଥିଲେ।ପରେ ସଚେତନତା ସଭା କାର୍ଯ୍ୟକ୍ରମ ସ୍ଥଳରେ ଏହି ଅବସରରେ ଏକ ସଚେତନତା ମୂଳକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଡିପିଏଚଓ ଡ଼ାଃ ମୁବାରକା ଅଲ୍ଲୀ , ଏଡିପିଏଚଓ (ରୋଗ ନିୟନ୍ତ୍ରଣ) ଡ଼ାଃ ଆନନ୍ଦ ସାମନ୍ତରାୟ , ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ଡିଏମଓ ଡ଼ାଃ ପ୍ରମୋଦ ଚନ୍ଦ୍ର ପଣ୍ଡା , ଜିଲ୍ଲା ସାମାଜିକ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ.ସୁନିତା ଏବଂ ଏଡିପିଏଚସିଓ ନୟନା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ହେପାଟାଇଟିସ ବା ଯକୃତ ପ୍ରଦାହ ଏହି ଭୂତାଣୁ ଜନିତ ରୋଗ ପ୍ରତି ପ୍ରଥମରୁ ସାବଧାନତା ନ ହେଲେ ଏହା କିଭଳି ଭୟଙ୍କର ଭାବେ ଲିଭରକୁ ଦୀର୍ଘ ସମୟ ଧରି ସଂକ୍ରମଣ କରିଥାନ୍ତି ଏବଂ ଏଥିସହ ଏହା କିଭଳି ଲିଭାର କର୍କଟ ରୋଗ ଭଳି ରୋଗ କରିବାରେ ସାହାଯ୍ୟ କରିଥାଏ , ଯାହା ଫଳରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ ସେ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ହେପାଟାଇଟିସ ଭୂତାଣୁ କିଭଳି ସଂକ୍ରମିତ ହୋଇଥାଏ , ହେପାଟାଇଟିସ ରୋଗର ଲକ୍ଷଣ , ଏହି ରୋଗକୁ କିଭଳି ଚିହ୍ନଟ କରାଯାଇଥାଏ , ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥା ଏବଂ ଏହା କିଭଳି ପ୍ରତିରୋଧ ସମ୍ଭବ ହୋଇଥାଏ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଷ୍ଠାଟାଷ୍ଟିକାଲ ଇନଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀ , ଡିଡିଏମ-ଆଇଡିଏସପି ଶ୍ରୀ ତୁଷାରକାନ୍ତ ପଟ୍ଟନାୟକ , ଆଶା ମ୍ୟାନେଜର ଶ୍ରୀ ନାରାୟଣ ମଲ୍ଲିକ ଏବଂ ଏ ଏନ୍ ଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ସୁଫଳ ବେହେରା ପ୍ରମୁଖ ଅଂଶଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ।