ଗାଁକୁ ଯାଇପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ଆସିଲେ ପ୍ରସୂତୀ…!

ଏଥର ସମ୍ଭାଳ ବ୍ୟୁରୋ(ଗଜପତି)- ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ତେଣୁ ଯାଇପାରିଲା ନାହିଁ ଆମ୍ୱୁଲାନ୍ସ। ପରିବାର ଲୋକେ ବାଧ୍ୟ ହୋଇ ଖଟିଆରେ ପ୍ରସୂତିଙ୍କୁ ୪ କିମି ବୋହି ନେଲେ। ଜନନୀ ଯନ୍ତ୍ରଣାର ଏପରି କରୁଣ ଚିତ୍ର ଆସିଛି ଗଜପତି ଜିଲ୍ଲାରୁ। ନୂଆଗଡ୍‌ ବ୍ଲକ୍‌ ସର୍ଗିସାହି ଗାଁର ଦାନିଏଲ୍‌ ରଇତଙ୍କ ସ୍ତ୍ରୀ ମିନାକ୍ଷୀ ସୋମବାର ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ସଙ୍ଗେ ସଙ୍ଗେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଠିକ୍‌ ସମୟରେ ଆମ୍ୱୁଲାନ୍ସ ଆସିଥିଲା। ହେଲେ ଗାଁରେ ଯାଇପାରିଲା ନାହିଁ। ଗାଁଠାରୁ ପ୍ରାୟ ୪ କିମି ଦୂରରେ ଅଟକିଲା ଆମ୍ୱୁଲାନ୍ସ। ରାସ୍ତା ଖରାପ ଯୋଗୁ ଗାଁ ଆମ୍ୱୁଲାନ୍ସ ଯାଇପାରିଲା ନାହିଁ। ତେଣୁ ଗାଁ ଲୋକେ ମିନାକ୍ଷୀଙ୍କୁ ଖଟିଆରେ ୪ କିମି ବୋହି ନେଇଥିଲେ। ପରେ ତାଙ୍କୁ ସେଠାରୁ ଆମ୍ବୁଲାନ୍ସରେ ନିଆଯାଇ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ମେଡ଼ିକାଲ୍‌ରେ ଚିକିତ୍ସା ପରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଆଜି ସେମାନେ ଘରକୁ ଫେରିଛନ୍ତି। ଫେରିବା ସମୟରେ ସେ ପୁଣି ୪ କିମି ଖଟିଆରେ ଗାଁକୁ ଫେରିଛନ୍ତି। ସୂଚନାରୁ ପ୍ରକାଶ, ଗାଁକୁ ଯିବା ପାଇଁ ରାସ୍ତାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଗାଁ ଲୋକେ ଏନେଇ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଯେଉଁଥିପାଇଁ ଗାଁ ଲୋକେ ଏପରି ଯନ୍ତ୍ରଣା ଭୋଗୁଛନ୍ତି।

Leave a Reply

Your email address will not be published. Required fields are marked *