!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ ଯୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ତିନି ବର୍ଷ ପରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପବିତ୍ର ମହେନ୍ଦ୍ରଗିରି ଶିଖର ଠାରେ ମହାଶିବରାତ୍ର ଉତ୍ସବ ଧୁମ୍ ଧାମରେ ପାଳନ ହୋଇଯାଇଛି । ପରମ୍ପରା ଅନୁଯାୟୀ ଏହିବର୍ଷ ମହେନ୍ଦ୍ରଗିରି ଉତ୍ସବ ମହାଶିବାତ୍ରି ର ପୂର୍ବ ଦିନରେ ଜାଗର ଅନୁଷ୍ଠିତ ହୋଇଯାଇଛି।ଏଠାରେ ଗଂଜାମ,ଗଜପତି, ରାୟଗଡ଼ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶର ପ୍ରାୟ ୫୦ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ହୋଇଥିଲା । ଗଞ୍ଜାମ ଜିଲ୍ଲାର ତୁମ୍ବା ଠାରୁ ବୁରୋଖତ ଯାଏଁ ଓ ଗଜପତି ଜିଲ୍ଲାର କୋଇଁପୁର ଠାରୁ ବୁରୋଖତ ଯାଏଁ ରହିଥିବା ଗ୍ରାମଗୁଡିକରେ ଆସୁଥିବା ଭକ୍ତ ଙ୍କ ସମାଗମ ଏଠାରେ ହୋଇଥାଏ ।ଭକ୍ତ ମାନେ ଯେ କୌଣସି ଗାଡ଼ି ରେ ଏହି ସ୍ଥାନକୁ ଆସିଥାନ୍ତି।ବୁରୋଖତ ଠାରୁ ମହେନ୍ଦ୍ରଗିରି ଶିଖର ଦୀର୍ଘ ୭ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାଏ । ଉକ୍ତ ୭ କିଲୋମିଟର ରାସ୍ତା ପକ୍କା ରାସ୍ତା ନିର୍ମାଣ ହୋଇ ଥିଲେ ମଧ୍ଯ ବୁଲାଣି ଓ ଘାଟି ରାସ୍ତା ଯୋଗୁଁ ହଜାର ହଜାର ଭକ୍ତ ଙ୍କ ସମାଗମ ହେଉଥିବା ବେଳେ ଖାଲି ସରକାରୀ କାର୍ଯ୍ୟ ରେ ନିୟୋଜିତ ଗାଡ଼ିକୁ ହିଁ ଯିବା ଆସିବା କରିବାପାଇଁ ଅନୁମତି ରହି ଥାଏ । ଶାନ୍ତିସୁରକ୍ଷା ଓ ଅବାଧ ପ୍ରବେଶ କୁ ରୋକିବା ପାଇଁ ବୁରୋଖତ ଠାରେ ପୁଲିସ କ୍ୟାମ୍ପ କରି ଜଗି ରହିଥିଲେ । ମହେନ୍ଦ୍ରଗିରି ଉତ୍ସବ ପାଇଁ ପୁର୍ବ ପ୍ରସ୍ତୁତି ଅନୁଯାୟୀ ପାନୀୟ ଜଳ, ରାସ୍ତା ଓ ମନ୍ଦିର ଗୁଡିକରେ ଆଲୋକ ର ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା ସକାଶେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ସବ୍ କଲେକ୍ଟର ଆଲୋକ ରଂଜନ ଓ ରାୟଗଡ଼ ବ୍ଳକ୍ର ବିଡିଓ ରାଜା ରଂଜିତ ପ୍ରତାପ ବଳ, ତହସିଲଦାର ଲୀଳାବତୀ ଆଚାର୍ଜୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଭକ୍ତ ମନ୍ଦିର ଦର୍ଶନ ସକାଶେ ସମସ୍ତ ବ୍ୟବସ୍ଥା କରିଥିଲେ। କୁନ୍ତି, ଯୁଧିଷ୍ଟିର ଓ ଭୀମ, ଅର୍ଜୁନ ମନ୍ଦିର ଦର୍ଶନ ପାଇଁ ଟିକେଟ ବିକ୍ରି କରି ଧାଡ଼ିରେ ଭକ୍ତମାନେ ଆସି ଦର୍ଶନ କରିବା ପାଇଁ ବ୍ୟବସ୍ଥା କରଯାଇଥିଲା। ମନ୍ଦିର ଦର୍ଶନ ଓ ପାହାଡ ଉପରେ ଭକ୍ତଙ୍କ ରାତ୍ରି ରହିବା ପାଇଁ ଜେନେରେଟର ଲଗାଇ ଲାଇଟ ର ବ୍ୟବସ୍ଥା କରଯାଇଥିଲା। ଏଠାକାର ସୂର୍ଯ୍ୟ ଉଦୟ ଦୃଶ୍ୟ ଏକ ନିଆରା। ସୂର୍ଯ୍ୟ ଉଦୟ ଦୃଶ୍ୟ ଦେଖିବାକୁ ହଜାର ହଜାର ଭକ୍ତ ଏଠାରେ ଭୋରୋରୁ ଜଗି ବସିଥାନ୍ତି। ସୂର୍ଯ୍ୟ ଉଦୟ ହେବାମାତ୍ରେ ଭକ୍ତ ମାନେ ହରିବୋଲ ହୁଳହୁଳି ଦେଇ ସୂର୍ଯ୍ୟ ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଉତ୍ସବ ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଶାନ୍ତି ସୁରକ୍ଷା ପାଇଁ ଗଜପତି ଏସପି ସ୍ଵାତୀ ଏସ କୁମାର ଉପସ୍ଥିତ ରହି ପରିସ୍ଥିତି ଉପରେ ଅନୁଧ୍ୟାନ କରି ଥିଲେ। ଶାନ୍ତି ସୁରକ୍ଷା ପାଇଁ ବିଭିନ୍ନ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ୧୭ ସେକ୍ସନ ଫୋର୍ସ, ୧୦୦ ହୋମଗାର୍ଡ ମିଶି ମୋଟ ୪୫୦ ଜଣ ପୁଲିସ ଅଧିକାରୀ ଓ ପୁଲିସ ମୂତୟନ ଥିଲେ। ସିହିଭଳି ରାୟଗଡ଼ ବ୍ଲକ ରେ ଥିବା ଶିବ ମନ୍ଦିର ହାଟପଦା ମଦିର, ତୁମ୍ବାଶିଲ, ନାରାୟଣପୁର, ଜୀରାଙ୍ଗ, କୋଇଁପୁର୍ ଆଦି ଗ୍ରାମରେ ଥିବା ଶିବ ମନ୍ଦିର ଗୁଡିକରେ ଶିବରାତ୍ରି ଦିନ ସକାଳୁ ସକାଳୁ ଭକ୍ତ ମାନଙ୍କ ଗହଳି ଜମିଥିଲା । ମଧ୍ୟରାତ୍ରରେ ପ୍ରତି ଶିବ ମନ୍ଦିରରେ ମହାଦୀପ ଉଠିଥିଲା ।