ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ଗୁଣପୁର ଠାରେ ବିଡ଼ିଓ ଭାବେ କାର୍ଯ୍ୟ ଭାର ଗ୍ରହଣ କରିବାର କିଛି ଦିନ ପରେ ଏହାଙ୍କ କାର୍ଯ୍ୟ ଶୈଳୀକୁ ନେଇ ଗୁଣପୁର ସମିତିର ସଦସ୍ୟ ଏବଂ ସରପଞ୍ଚ ବିରୋଧ କରି ଆସି ଏହାଙ୍କ ବଦଳୀ ଦାବିକରି ଆସୁଥିଲେ । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଇ ବିଡ଼ିଓ ଙ୍କୁ ଘଣ୍ଟ ଘୋଡାଇ ଆସୁଥିବା ହେତୁ ପରବର୍ତ୍ତୀ ସମୟରେ ବିଜେଡିର ସମ୍ପୂର୍ଣ୍ଣ ଭୋଟ ବ୍ୟାଙ୍କ୍ ଥିବା ଗୁଣପୁର ପଞ୍ଚାୟତ ସମିତି ଆସନ ବିଜେଡି ହାତରୁ ଖସି ସ୍ଵାଧୀନ ପ୍ରାର୍ଥୀ ବୋଲାଉଥିବା ପୂର୍ବତନ ସାଂସଦ ଭାସ୍କର ରାଓ ସମର୍ଥିତ ଅକ୍ତିଆରକୁ ଆସିଲା । ଏହି ଗୋଷ୍ଠୀ ସମିତି ଶାସନ ଦାୟିତ୍ୱ ଗ୍ରହଣ ପରେ ବିଡ଼ିଓଙ୍କ ବିରୁଦ୍ଧରେ ରାଜ୍ୟ ଦରବାରରେ ଅଭିଯୋଗ କରିବା ପରେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେବା ଯୋଗୁଁ ସମିତିରେ ଅଶାନ୍ତ ବଢ଼ିବାରେ ଲାଗିଛି । ଏହି କ୍ରମରେ ଗତ ୨୪/୧୧/୨୦୨୨ ତାରିଖ ରେ ପୁଣି ସମିତି ସଦସ୍ୟଙ୍କ ସମେତ କିଛି ଗ୍ରାମବାସୀ ବିଡ଼ିଓ ଅଫିସ୍ ସମ୍ମୁଖରେ ଧାରଣା ଦେଇ ଅଫିସ୍ ଘେରାଉ କରିବା ନଜରକୁ ଆସିଛି । ବିଡ଼ିଓ ଙ୍କ ମନମୁଖୀ ଶାସନ ବିରୁଦ୍ଧରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ଆନ୍ଦୋଳନକାରୀ କହୁଥିବାବେଳେ ଏହା ରାଜନୈତିକ ଅଭିସନ୍ଧି ମୂଳକ ବୋଲି ଶାସକ ଦଳ ଗୋଷ୍ଠୀ ଚିତ୍ରଣ କରୁଥିବା କୁହାଯାଉଛି । ଏହି ଘେରାଉ କୁ ନେଇ ସ୍ଥାନୀୟ ବିଡ଼ିଓ ଗୁଣପୁର ଆଦର୍ଶ ଥାନାରେ ଏକ ଏତଲା ଦେଇଛନ୍ତି । ଏହାକୁ ଆଧାରକରି ପୋଲିସ ସମିତି ଅଧ୍ୟକ୍ଷା ଙ୍କ ଭାଇଙ୍କୁ ଗିରଫ କରିବା ସହ ଅନ୍ୟ ଦୁଇଜଣ ଙ୍କୁ ହିରାସତ୍ କୁ ନେବାର ମସୁଧା ଚଳାଇଛି । ତେବେ ଏଠାରେ କଥା ଉଠୁଛି ଏହି ଘେରାଉ ଓ ଆନ୍ଦୋଳନରେ କେବଳ ଏହି ତିନି ଜଣ ଥିଲେକି ? ସମିତି ସହ ସଂସ୍ଲିଷ୍ଠ ଥିବା ଆନ୍ଦୋଳନ କାରୀ ଙ୍କୁ ପୋଲିସ ତଦନ୍ତ ପରିସର ମଧ୍ୟକୁ ନେଇ ଗିରଫ କରୁନି କାହିଁକି ? ଯଦି ଜଣେ ସରକାରୀ କର୍ମଚାରୀ ଙ୍କୁ ଅସତ୍ ବ୍ୟବହାର କରିଥିବା କାରଣରୁ ପୋଲିସ ଏହି ପଦକ୍ଷେପ ନେଇଛି ଏବଂ ଅନ୍ୟ ଦୁଇଜଣ ଙ୍କୁ ଗିରଫ କରିବାକୁ ଏତେ ତତ୍ପରତା ପ୍ରକାଶ କରିଛି ତେବେ କିଛିଦିନ ତଳେ ଗୁଣପୁର ଠାରେ ଜିଲ୍ଲାର ସର୍ବୋଚ୍ଚ କର୍ମକର୍ତ୍ତା ମାନ୍ୟବରା ଜିଲ୍ଲାପାଳ ଙ୍କୁ ଜିଲ୍ଲାର ସର୍ବୋଚ୍ଚ ପୋଲିସ ଅଧିକାରୀ ମାନନୀୟ ଏସ ପି ମହୋଦୟ ଙ୍କ ଉପସ୍ଥିତିରେ ଯେଉଁ ଭଳି ଅସଦାଚରଣ କରାଗଲା ସେହି କ୍ଷେତ୍ରରେ କେତେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସହ ଚର୍ଚ୍ଚା ଜୋର୍ ଧରିଛି । ଯଦି ପୋଲିସ ପକ୍ଷରୁ ଜିଲ୍ଲାପାଳଙ୍କ ଘଟଣା ନେଇ ସେତେବେଳେ ଏଭଳି ତତ୍ପରତା ପ୍ରକାଶ କରାଯାଇ ଆନ୍ଦୋଳନକାରୀ ଏବଂ ଆନ୍ଦୋଳନ ନିମନ୍ତେ ଉସୁକାଇଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଆନ୍ତା ତେବେ ଆଜି ବିଡ଼ିଓ ଙ୍କ ପ୍ରତି ଏଭଳି ଆଚରଣ କରା ଯିବାରେ ସାହସ ଉଠନ୍ତା ନାହିଁ ଓ କର୍ମଚାରୀ ମାନେ ସୁରକ୍ଷିତ ମଣି ନିଜର କାର୍ଯ୍ୟ ତୁଲାଇ ପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କିଛି ବୁଦ୍ଧିଜୀବି ଙ୍କ ମତରେ , ଜନ ଅସନ୍ତୋଷ ପ୍ରକାଶ ପାଇ ସରକାରୀ କର୍ମଚାରୀ ଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗକୁ ଯଥା ଶୀଘ୍ର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବା ଏବଂ ତୁରନ୍ତ ସେଠାରୁ ବଦଳି କରା ନଯାଇ ରାଜନୈତିକ ଦୃଷ୍ଟି କୋଣରୁ ସେଠାରେ ରଖି ନିଆଁ ରେ ଘିଅ ଢାଳିବା ଭଳି କାର୍ଯ୍ୟ ତୁଲାଉ ଥିବାରୁ ଏଭଳି ଅସନ୍ତୋଷ ର ବହ୍ନି ବଢୁଛି । ଦେଖିବାକୁ ରହିଲା ପ୍ରଶାସନ ପକ୍ଷରୁ ଆଗାମୀ ଦିନ ରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here