ଏଥର ସମ୍ଭାଳ ବ୍ୟୁରୋ (ପିପିଲି) – ପିପିଲି ବିଧାନସଭାର ବିଜେଡି ପ୍ରାଥୀ ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ | ସ୍ୱତନ୍ତ୍ର ପ୍ରାଧୀକୃତ କୋର୍ଟ ଆଜି ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି | ତାଙ୍କୁ ୫୦ ହଜାର ଟଂକା ଓ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯିବାକୁ ଅନୁମତି ମିଳିଛି | ସେ କୌଣସି ଶଖିଙ୍କୁ ପ୍ରଭାବିତ କରିବେ ନାହିଁ କି ଧମକ ଚମକ ଦେଇପାରିବେ ନାହିଁ ଏବଂ ତଦନ୍ତକାରି ଅଧିକାରୀଙ୍କୁ ତଦନ୍ତରେ ସାହାଯ୍ୟ କରିବେ ବୋଲି ସର୍ତ୍ତରେ ଉଲ୍ଲେଖ ରହିଛି |
ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଯାଞ୍ଚ ଟିମ ମହାରଥୀଙ୍କ ଫାର୍ମ ହାଉସରେ ରେଡ କରିଥିଲେ | ମଦ ଓ ଟଂକା ବଣ୍ଟା ଯାଉଥିବା ନେଇ ଖବର ପାଇବା ପରେ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ତିମି ଯାଇ ଏହି ଚଢ଼ାଉ କରିଥିଲେ | ଚଢ଼ାଉ ସମୟରେ ମହାରଥୀ ଓ ତାଙ୍କ ସହଯୋଗୀମାନେ ମିଶି ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ | ସେମାନଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ନେଇ ପ୍ରଥମେ ଅଭିଯୋଗ କରାଯାଇଥିଲା | ଏପରିକି ନିଜେ ମାଜିଷ୍ଟ୍ରେଟ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ମହାରଥୀ ଗୋଡ଼ାଇ ଗୋଡ଼ାଇ ବାଡେଇ ଥିଲେ | ଆହତ ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା | ହେଲେ ପରେ ମାଜିଷ୍ଟ୍ରେଟ ତାଙ୍କ ବୟାନ ବଦଳାଇ ଥିବା କୁହାଯାଉଛି | ଏପରିକି ଏସପି ମଧ୍ୟ ପ୍ରମାଣ ଆଧାରରେ ମହାରଥୀଙ୍କୁ ଗିରଫ କରାଯାଇଥିବା କୁହାଯାଇଥିଲା | ମହାରଥୀଙ୍କ ବିରୋଧରେ ସଂଗୀନ ଦଫାମାନ ଲଗାଯାଇଥିଲା | ଏଥିରେ ଆଇପିସିର ଧାରା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି), ୧୮୬ ଓ ଲୋକପ୍ରତିନିଧି ଆଇନ ୧୨୩ରେ ମାମଲା ରୁଜୁହୋଇ ଥିଲା | ଗିରଫ ହେବାପରେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଥିଲେ | ହେଲେ ଆସୁସ୍ଥତା ଦର୍ଶାଇ ସେ ଜେଲକୁ ନ ଯାଇ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ ହୋଇଥିଲେ |