ଓଡ଼ିଶାବାସୀ ବାଛିବେ ଉତ୍ତରାଧିକାରୀ ; ପରିବାରରୁ ନୁହେଁ : ନବୀନ
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶା ରାଜନୀତିରେ ଦୀର୍ଘ ବର୍ଷ ହେଲା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ବିଭିନ୍ନ ସମୟରେ ନାନା ଆଲୋଚନା ଚାଲିଥାଏ । ନବୀନଙ୍କ ପରେ ବିଜେଡିରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ଏହାକୁ ନେଇ ବହୁ କଳ୍ପନାଜଳ୍ପନା ମଧ୍ୟ ହୋଇଛି । ନବୀନଙ୍କ ପରିବାରରୁ କିଏ ଆସିବେ କି ନାହିଁ ସେ କଥା ମଧ୍ୟ ଉଠିଛି । ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ନେଇ ବି ଅନେକ ସମୟରେ ଆଲୋଚନା ହୋଇଛି । ବାସ୍ତବରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ ଅନେକ ପ୍ରଶ୍ନ ଦେଖାଦେଇଛି । ଏ ସମ୍ପର୍କରେ ନବୀନ ଏବେ ସ୍ପଷ୍ଟ କରିଛନ୍ତି । ସବୁ ଆଶା ଆଶଙ୍କାକୁ ଦୂରେଇ ନବୀନ ମତ ରଖିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପରିବାରରୁ କେହି ଉତ୍ତରାଧିକାରୀ ଭାବେ ଆସିବେ ନାହିଁ । ଏପରି କି ତାଙ୍କ ଭଉଣୀ ଗୀତା ମେହେଟା ମଧ୍ୟ ଆସିବେ ନାହିଁ ବୋଲି ନବୀନ କହିଛନ୍ତି । ହେଲେ ତାଙ୍କ ଉତ୍ତରାଧିକାରୀ କିଏ ହେବ ଏହା ଉପରେ ନବୀନ ମତ ରଖିଛନ୍ତି ତାହା ଓଡ଼ିଶାବାସୀ ତାଙ୍କ ନେତା ବାଛିବେ । ନବୀନ ତାଙ୍କ ପରେ ବିଜେଡିର ଉତ୍ତରାଧିକାରୀ ବାଛିବା ଦାୟିତ୍ୱ ଓଡ଼ିଶାବାସୀଙ୍କ ଉପରେ ଛାଡ଼ି ଦେଇଛନ୍ତି । ଓଡ଼ିଶାବାସୀ ଯାହାକୁ ଚାହିଁବେ ସେ ବିଜେଡିର ନେତୃତ୍ୱ ନେବ ଏକଥା ନବୀନ ଜଣାଇଛନ୍ତି ।
ନବୀନଙ୍କ ଫିଟନେସ ଭିଡ଼ିଓ ଭାଇରାଲ ହେବା ପରେ ତାକୁ ନେଇ ବହୁ ସମାଲୋଚନା ଓ ଆଲୋଚନା ଚାଲିଛି । ଏହାକୁ ନେଇ ଜାତୀୟ ଗଣମାଧ୍ୟମ ନବୀନଙ୍କର ସାକ୍ଷାତକାର କରିଥିଲେ । ଏହି ଘଟଣାରେ ନବୀନ ଦଳରୁ ବାଦ ପଡ଼ିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି । ବୈଜୟନ୍ତ ସବୁବେଳେ କୁହନ୍ତି ସେ ହେଉଛନ୍ତି ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ବିଭିନ୍ନ କାର୍ଯ୍ୟକ୍ରମ ଓ ଆଲୋଚନାରେ ବୈଜୟନ୍ତ ଏହି ଦାବି ରଖିଥାନ୍ତି । ହେଲେ ଏହି କଥା ଯେ, ଭୁଲ ଓ ବୈଜୟନ୍ତଙ୍କ ଦାବି ଠିକ ନୁହେଁ ତାହା ନବୀନ ସ୍ପଷ୍ଟ କରିଛନ୍ତି । ବୈଜୟନ୍ତ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ନୁହଁନ୍ତି । ସେ ପ୍ରତିଷ୍ଠାତା ସଦସ୍ୟ ଥିଲେ ବୋଲି ମିଛକଥା କହୁଛନ୍ତି । ସେ ରାଜ୍ୟସଭା ସାଂସଦ ହେଲା ପରେ ବିଜେଡିକୁ ଆସିଲେ ବୋଲି ନବୀନ ଏହି ସାକ୍ଷାତକାରରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଏହି ସାକ୍ଷାତକାରରେ ନବୀନ ବିଜେପି ବିରୋଧରେ ବିଷୋଦଗାର କରିଛନ୍ତି । ଏନଡିଏ ତାଙ୍କର ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱି ବୋଲି କହିଛନ୍ତି । ଓଡ଼ିଶାରୁ ବିଜେପି ତାଙ୍କ ପାଇଁ ଆଦୌ ବିପଦ ନୁହେଁ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଏନଡିଏ କି ୟୁପିଏ କେହି ରାଜୈନତିକ ଶତ୍ରୁ ନୁହଁନ୍ତି ବୋଲି ଦର୍ଶାଇଛନ୍ତି । ଓଡ଼ିଶାରେ ଏଥର ବି ମୋଦିଙ୍କ କୌଣସି ପ୍ରଭାବ ପଡ଼ିବ ନାହିଁ । ଓଡ଼ିଶା ଭୋଟର ପରିବର୍ତ୍ତନ ଚାହାଁନ୍ତି ନାହିଁ । ପ୍ରତିଥର ଓଡ଼ିଶାବାସୀ ତାଙ୍କୁ ଅଧିକ ଆସନରେ ଜିତାଉଛନ୍ତି ବୋଲି ସେ କହିଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଅନ୍ୟକୌଣସି ଦଳ ଭଲ କାମ କରିପାରିବ ନାହିଁ । ଏନଡିଏ ଅଧିନରେ ଦେଶର ଗଣତନ୍ତ୍ର ବିପଦରେ ରହିଛି ବୋଲି ନବୀନ ମତ ରଖିଛନ୍ତି । ବିଜେପିକୁ ଏକ ସାମ୍ପ୍ରଦାୟିକ ଦଳ ଭାବେ ସେ ଆକ୍ଷେପ କରିଛନ୍ତି । ବିରୋକ୍ରାଟମାନେ ସବୁ ଦଳ ଓ ସରକାରରେ ନିଷ୍ପତ୍ତି ନେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେ ସବୁ ବାଜେ କଥା ବୋଲି ନବୀନ କହିଛନ୍ତି । ସେ ନିଜେ ଓ ମନ୍ତ୍ରୀମାନେ ସବୁ ନିଷ୍ପତ୍ତି ନିଅନ୍ତି ବୋଲି କହିଛନ୍ତି । ଏପରି କି ତାଙ୍କର ଓଡ଼ିଆ ଭାଷାକୁନେଇ ଯେଉଁ ଅଭିଯୋଗ ଉଠୁଛି ତାକୁ ନେଇ ସେ ଖଣ୍ଡନ କରିଛନ୍ତି । ସେ ଓଡ଼ିଆ କହିବା ଓ ବୁଝିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ।
ଜାତୀୟ ଗଣମାଧ୍ୟମରେ ନବୀନଙ୍କ ଏହି ସାକ୍ଷାତକାରର ମତ ଓଡ଼ିଶା ରାଜନୀତିକ ମହଲରେ ହଟ୍ଟ ଚମଟ ସୃଷ୍ଟି କରିଛି । ଯାହାକୁ ନେଇ ବହୁ ବିତର୍କ ଆରମ୍ଭ ହୋଇଯାଇଛି । ବୈଜୟନ୍ତ ପଣ୍ଡା ଟ୍ୱିଟ କରି ନବୀନଙ୍କ ମତକୁ ଖଣ୍ଡନ କରିବା ସହ ସେ ମଧ୍ୟ ସେହି ଜାତୀୟ ଗଣମାଧ୍ୟମର ସାମ୍ବାଦିକଙ୍କୁ ଡାକି ନବୀନ ଓ ତାଙ୍କ ଅଧିକାରୀଙ୍କ ବିରୋଧ ବିଷୋଦଗାର କରିଛନ୍ତି ।

