କଟକରେ ମାସ୍କ ବାଧ୍ୟତାମୂଳକ…!

ଏଥର ସମ୍ଭାଳ ବ୍ୟୁରୋ(କଟକ)- ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହୋଇଛି। ଆଜି ଏହି ନିର୍ଦ୍ଦେଶନାମା ବାହାରିଛି। କଟକ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ସିଏମ୍‌ସି(କଟକ ମହାନଗର ନିଗମ)। କୋଭିଡ଼ ସଂକ୍ରମଣ ବଢ଼ୁଥିବାରୁ ଏହାର ନିମନ୍ତ୍ରଣ ନିମନ୍ତେ ଏଭଳି କଟକଣା କଡ଼ା କରିଛି ପ୍ରଶାସନ। କଟକରେ ରହୁଥିବା ଲୋକ ଓ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବେ। ବାହାରକୁ କିମ୍ବା ସର୍ବସାଧାରଣ ସ୍ଥାନକୁ ଯାଉଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି। ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କ ଠାରୁ ୨ ମିଟର ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ବି ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ମଲ୍, ଦୋକାନମାନଙ୍କରେ ଲୋକେ ଯେପରି ମାସ୍କ ପନ୍ଧିବେ ଓ ସାମାଜିକ ଦୂରତ୍ୱ ରଖିବେ ତାହାର ଦାୟିତ୍ୱ ସମ୍ପୃକ୍ତ ଅନୁଷ୍ଠାନ ମାଲିକଙ୍କ ଉପରେ ଦିଆଯାଇଛି। କଟକଣା ପାଳନ ହେଉ ନ ଥିବା ଧରାପଡ଼ିଲେ ସମ୍ପୃକ୍ତ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ବା ମାଲିକ ଦାୟୀ ରହିବେ। ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକରେ କର୍ମଚାରୀମାନେ ଯେପରି କଟକଣା ପାଳନ କରିବେ ସେଥିନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି।  ଛିଙ୍କିବା ଓ କାସିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କେହି ଏହାର ଉଲ୍ଲଂଘନ କଲେ କରୋନା ସଂକ୍ରମଣ ନିୟନ୍ତ୍ରଣ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଏମ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି।

 

Leave a Reply

Your email address will not be published. Required fields are marked *