ମୁକୁନ୍ଦପୁର ମୁଖ୍ୟ ବଜାରରେ ଶୌଚାଳୟ ନିର୍ମାଣ ଦାବି…!
!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ କୁମାର ନାଲା ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ମୁକୁନ୍ଦପୁର)- କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ସ୍ଥିତ ମୁଖ୍ୟ ବଜାରରେ ଶୌଚାଳୟ ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣ ବହୁବାର ଦାବି କରୁଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଶୌଚାଳୟ ନଥିବା ହେତୁ ଜରୁରୀ ସମୟରେ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। କୋଲନରା ବ୍ଲକର ମୁକୁନ୍ଦପୁର ଅଞ୍ଚଳରେ ୭ ଗୋଟି ପଞ୍ଚାୟତ ରହିଥିବା ବେଳେ ଅଞ୍ଚଳର ପ୍ରାୟ ୨୦ ହଜାର ଜନସାଧାରଣ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ କିଣାବିକା କରିବା ପାଇଁ ମୁକୁନ୍ଦପୁର ବଜାର ଉପରେ ନିର୍ଭର କରିଥାନ୍ତି। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ମୁକୁନ୍ଦପୁର ବଜାର ଜନଗହଳି ପୂର୍ଣ୍ଣ ରହିଥାଏ। ମୁକୁନ୍ଦପୁର ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଥିଲେ ମଧ୍ୟ ଦୂର ଦୂରାନ୍ତରକୁ ଯାଉଥିବା ଯାତ୍ରୀମାନେ ମୁଖ୍ୟ ବଜାର ନିକଟରେ ଶୌଚାଳୟର ବ୍ୟବସ୍ଥା ନଥିବା ହେତୁ ଖାସକରି ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଦୀର୍ଘ ବର୍ଷ ହେବ ଏପରି ସମସ୍ୟା ଲାଗି ରହିଥିବା ବେଳେ ସ୍ଥାନୀୟ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ସେହିପରି ଦୈନିକ ପ୍ରାୟ ୫ ହଜାର ଲୋକ ମୁକୁନ୍ଦପୁର ମୁଖ୍ୟ ବଜାର ଉପରେ ନିର୍ଭର କରୁଥିବା ବେଳେ ଲୋକଙ୍କ ଜରୁରୀ ସମୟରେ ନିରଳା ସ୍ଥାନ ଦେଖି ପରିସ୍ରା ଓ ମଳତ୍ୟାଗ ଖୋଲା ସ୍ଥାନରେ କରୁଥିବା ଦେଖିବାକୁ ମିଳୁଛି। ଏପଟେ ସ୍ୱଚ୍ଛ ଭାରତ, ନିର୍ମଳ ଅନୁଷ୍ଠାନ ଦ୍ଵାରା ସଚେତନତା କରାଯାଉଛି। ଅନ୍ୟପଟେ ଗ୍ରାମ୍ୟ ଜଳ ଯୋଗାଣ, ପରିମଳ ମିଶନ ଏବଂ ବ୍ଲକ ପ୍ରଶାସନ ଦ୍ବାରା ବିଭିନ୍ନ ପ୍ରକାର ଜନ ସଚେତନତା କରାଯାଉଥିଲେ ମଧ୍ୟ ଶୌଚାଳୟ ନଥିବା ହେତୁ ଖୋଲା ସ୍ଥାନରେ ପରିସ୍ରା କିମ୍ବା ମଳତ୍ୟାଗ କରିବା ଦ୍ୱାରା ପରିବେଶ ଦୂଷିତ ହେଉଛି। ମୋଟାମୋଟି କହିବାକୁ ଗଲେ ମୁକୁନ୍ଦପୁର ମୁଖ୍ୟ ବଜାର ନିକଟରେ ଏକ ଶୌଚାଳୟ ନିର୍ମାଣ ପାଇଁ କାହାରି ହେଲେ ଆନ୍ତରିକତା ନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେଣୁ ତୁରନ୍ତ ଶୌଚାଳୟ ନିର୍ମାଣ ପ୍ରତି ଦୃଷ୍ଟି ନ ଦେଲେ ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା କେବଳ ସଚେତନତାରେ ହିଁ ସୀମିତ ହୋଇ ରହିଯିବ। ସେହିପରି ନିର୍ବାଚିତ ପ୍ରତିନିଧି, ବିଧାୟକ ଓ ସାଂସଦ ପାଣ୍ଠିରୁ କୋଟି କୋଟି ଟଙ୍କା ବିକାଶ ତଥା ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ ହେଉଥିଲେ ସୁଦ୍ଧା ସ୍ଥାନୀୟ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆବଶ୍ୟକ ସ୍ଥାନରେ ଇ-ଟୟଲେଟ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ ଜିଲ୍ଲା ପ୍ରଶାସନ ତାହାର ବିନିଯୋଗ କରୁନାହିଁ। ତେଣୁ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ତୁରନ୍ତ ଲୋକଙ୍କ ସୁବିଧା ଦୃଷ୍ଟି ଦେଖି ମୁକୁନ୍ଦପୁର ମୁଖ୍ୟ ବଜାର ନିକଟରେ ଏକ ଇ-ଟୟଲେଟ କିମ୍ବା ଶୌଚାଳୟ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

