ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ; ହାଇକୋର୍ଟ ବାରଆସୋସିଏସନ ବିରୋଧକୁ ନିନ୍ଦା….!

ଏଥର ସମ୍ଭାଳ ବ୍ୟୁରୋ(ସମ୍ବଲପୁର)- ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କର। ଏନେଇ ରାଜ୍ୟ ସରକାର ହାଇକୋର୍ଟଙ୍କ ପରାମର୍ଶ ସହ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଅ। ଏଭଳି  ଦାବି କରିଛି ପଶ୍ଚିମ ଓଡିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଆଜି ସମ୍ବଲପୁର ଠାରେ ଅନୁଷ୍ଠିତ କ୍ରିୟାନୁଷ୍ଠାନ କମିଟିର ବୈଠକରେ ୪ ଟି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଯଦି ୩୦ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପାଖକୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ନ ପଠାନ୍ତି, ତେବେ ଆସନ୍ତା ଜୁଲାଇ ମାସ ୮ ତାରିଖ ଦିନ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ସଙ୍କଳ୍ପ ଦିବସ  ପାଳନ କରାଯିବ। ସେହିଦିନ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ମାନେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ରାଜସ୍ୱ ଆୟୁକ୍ତ  ଓ ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ସେହିପରି ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବକୁ ହାଇକୋର୍ଟ ବାର ଆସୋସିଏସନ ଏହାକୁ ବିରୋଧ କରୁଥିବାରୁ ଏହା ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିସହିତ ସମ୍ବଲପୁରର ଏଲ.ଆର. ଆଇ କଲେଜକୁ ଆଇନ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିସହିତ ବୌଦ୍ଧ ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ଵ କମିସନରୁ ବାହାର କରି ଉତ୍ତରାଞ୍ଚଳ ରାଜସ୍ୱ କମିଶନ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *