Site icon Ethara Sambhala

ଭିତ୍ତିହୀନ ବିବାଦ ଯୋଗୁଁ ବନ୍ଦ ହୋଇଗଲା କୋଦଳା ଏନଏସି ବୈଠକ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ  ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଅପଡା) –  ଜଣେ କାଉନସିଲରଙ୍କ ଭିତ୍ତିହୀନ ବିତଣ୍ଡା ଯୁକ୍ତି ଯୋଗୁଁ କୋଦଳା ଏନଏସି ବୈଠକ ଅଧାରୁ ବନ୍ଦ ହୋଇଯାଇଛି । ସୂଚନା ଅନୁସାରେ, ୭ ଦିନ ପୂର୍ବରୁ ନୋଟିସ କରାଯାଇ ବୁଧବାର ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ କୋଦଳା ଏନଏସିର ୧୧ ନମ୍ବର ଓ୍ବାର୍ଡର ସ୍ବାଧୀନ କାଉନସିଲର ତଥା ଏବେ ବିଜେଡିରେ ଯୋଗଦାନ କରିଥିବା ଭଗବାନ ପାଢ଼ୀ ବୈଠକକୁ ଆସି ମିଟିଂ ହୋଇ ପାରିବ ନାହିଁ ବୋଲି ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀଣୀଙ୍କୁ କହିଥିଲେ। ଏନେଇ ସେ ଏକ ବହି ଜରିଆରେ ଯୁକ୍ତି ବାଢିଥିଲେ। ତେବେ ସଂପୃକ୍ତ ବହି ପୁରୁଣା ଏବଂ ୨୦୧୮ ମସିହାରେ ଗାଇଡ୍ ଲାଇନ୍ ବଦଳି ଯାଇଛି ବୋଲି ଯୁକ୍ତି କରିଥିଲେ ଦାୟିତ୍ବରେ ଥିବା ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଅଧିକାରୀଣୀ ସସ୍ମିତା ଶତପଥି ।

ଯାହା କିଛି କହିବାର ଅଛି ଲିଖିତ ଅଭିଯୋଗ କରନ୍ତୁ ଏବଂ ଶାନ୍ତି ଶୃଙ୍ଖଳାର ସହ ବୈଠକ ଚାଲିବାକୁ ଦିଅନ୍ତୁ ବୋଲି କହିବା ପରେ ମଧ୍ୟ କାଉନସିଲର ଭଗବାନ ପାଢ଼ୀ ନଛୋଡବନ୍ଧା ହୋଇଥିଲେ। ଏକା ଜିଦ୍ କରି ଥିଲେ ମିଟିଂ ବନ୍ଦ କରାଯାଉ । ଫଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କୋଦଳା ନଗରପାଳ ସୂର୍ଯ୍ୟନାରାୟଣ ନାୟକ ବାରମ୍ବାର ଅନୁରୋଧ କରିଥିଲେ ସହଯୋଗ କରିବା ପାଇଁ, କିନ୍ତୁ ହୀନ ରାଜନୀତି କରି ବିଶୃଙ୍ଖଳା ସୃଷ୍ଟି କରିବା ଯୋଗୁଁ ତରବରିଆ ଭାବେ ମିଟିଂକୁ ଶେଷ କରି ଦିଆଗଲା । ଫଳରେ କୋଦଳା ଏନଏସିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ପାରି ନଥିଲା । ଏନ୍ଏସି ମାନୁଆଲକୁ ଅନୁସରଣ ନକରି ଶାସକ ଦଳର ଜଣେ କାଉନସିଲର ମିଟିଂ କରାଇ ନଦେବା ଘଟଣାକୁ ନେଇ ନଗରପାଳ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଆଗାମୀ ଦିନରେ ଏନେଇ ଏକ ସ୍ଥାୟୀ ପ୍ରତିକାର ପାଇଁ ସେ ନିବେଦନ କରିଛନ୍ତି ।

Exit mobile version