ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ନିଯୁକ୍ତି ମିଳିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଦଳ ଗ୍ରହଣ କରି ତତ୍କାଳ ପ୍ରଭାବରୁ ଶରତ ପଟ୍ଟନାୟକଙ୍କୁ ପିସିସି ମଙ୍ଗୁଆଳ ଦାୟିତ୍ୱ ତୁଲାଇବାକୁ କହିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଏହି ନିଷ୍ପତ୍ତି ସମ୍ପର୍କରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ କିଛି ଦୁଇମାସ ଧରି ପିସିସି ସଭାପତି ପଦକୁ ନେଇ ଛକାପଞ୍ଝା ଲାଗି ରହିଥିଲା । ଶରତ ପଟ୍ଟନାୟକ ନିଜେ ପିସିସି ସଭାପତି ଦୌଡ଼ରେ ନଥିବା କଥା ଗଣମାଧ୍ୟମକୁ ବୟାନ ଦେଇଥିଲେ ମଧ୍ୟ ତାଙ୍କୁ ଦଳ ପିସିସି ସଭାପତି କରିପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି କଂଗ୍ରେସର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟ ତାଙ୍କର ପିସିସି ସଭାପତିିତ୍ୱକୁ ତୀବ୍ର ବିରୋଧ କରୁଥିଲେ । ଜଣେ ବିଧାୟକଙ୍କୁ ପିସିସି ସଭାପତି ଦାୟିତ୍ୱ ଦେବାକୁ ଚାପ ପଡ଼ିଥିଲା। ମାତ୍ର ଓଡ଼ିଶା ପିସିସି ପ୍ରଭାରୀ ଏ. ଚେଲାକୁମାରଙ୍କ ସୁପାରିଶ ଓ ଦଳର ଅନ୍ୟ ପ୍ରମୁଖ ନେତାମାନଙ୍କ ସହ ବିଚାରବିମର୍ଶ କରି ଶ୍ରୀ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ବଲାଙ୍ଗିରର ଦୁଇଥର ସାଂସଦ ଶରତ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ସେ ୧୯୯୧ ଓ ୧୯୯୬ରେ ବଲାଙ୍ଗିରର ସାଂସଦ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ପିସିସି ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସେ ଏଆଇସିସି ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ । ଏଆଇସିସି ସାଧାରଣ ସମ୍ପାଦକ ଜାରି କରିଥିବା ପ୍ରେସ ରିଲିଜରେ କହିଛନ୍ତି, “ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ତତ୍କାଳ ଭାବେ ନିଯୁକ୍ତି ଦିଆଯାଉଛି। କଂଗ୍ରେସ ସଭାପତି ଏହି ନିଯୁକ୍ତି ଦେଇଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କ କାମ ପାଇଁ ଦଳ ଶୁଭେଚ୍ଛା ଓ ସାଧୁବାଦ ଜଣାଉଛି।” ଶରତ ପଟ୍ଟନାୟକ ପିସିସି ସଭାପତି ନିଯୁକ୍ତ ହେବା ପରେ ସମସ୍ତଙ୍କୁ ନେଇ କାମ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ ଆଗାମୀ ଦିନରେ ନିର୍ବାଚନ ଲଢ଼ିବୁ। ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବାକୁ ହେବ। ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ପାଇଁ ପ୍ରସ୍ତୁତି ହେବ। ନୂଆ ନିଯୁକ୍ତି ପାଇଁ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟ ଶୁଭେଚ୍ଛା ଜଣାଇଛନ୍ତି। ଶରତଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବା ନେଇ ସେ ଆଶାବାଦୀ ରହିଛନ୍ତି। ସେ କହିଛନ୍ତି, ପିସିସି ସଭାପତି ଭାବେ ଦାୟିତ୍ୱ ତୁଲାଇବା ମୋ ପାଇଁ ବଡ଼ ସମ୍ମାନ। ସୋନିଆ ଗାନ୍ଧି ସଭାପତି ଭାବେ କାମ କରିବାକୁ ସୁଯୋଗ ଦେଇଥିବାରୁ କୃତଜ୍ଞ। ପିସିସି ସଭାପତି ଭାବେ କାମ କରିବା ବେଳେ ରାହୁଲ ଗାନ୍ଧି ପୂରା ସହଯୋଗ କରିଛନ୍ତି ବୋଲି ନିରଞ୍ଜନ ଟ୍ୱିଟ କରି କହିଛନ୍ତି।