ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଏଏସଆଇର ସତ୍ୟପାଠ ପରେ ଟ୍ୱିଟ କରି ତଥା ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର କଳା ପାହାଡ଼ ମାନସିକତା ଛାଡ଼ି ଭୁଲକୁ ସ୍ୱୀକାର କରନ୍ତୁ ବୋଲି ସେ କହିଛନ୍ତି। ଏଥିସହ ସରକାର ନିଜର ଅହଂକାର ପରିତ୍ୟାଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଯଦି ଆମର ବିଶ୍ୱ ସ୍ତରୀୟ ଐତିହ୍ୟ ନଷ୍ଟ ହୁଏ, ତେବେ ଭବିଷ୍ୟତ କ୍ଷମା ଦେବ ନାହିଁ ବୋଲି ସମ୍ବିତ ପାତ୍ର ଟ୍ୱିଟ୍ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାମ ପାଇଁ ବୈଧ ଅନୁମତି ନ ଥିଲା। ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉ ନାହିଁ। କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ। ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ DPR ଦାଖଲ କରାଯାଇଛି। ଏଥିସହ ଏଏସଆଇ ରିପୋର୍ଟରେ ଖନନ ସ୍ଥାନରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଦୁଃଖର ଦିନ। ନିର୍ମାଣ ସମୟରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ହାଇକୋର୍ଟ ଉପଲବ୍ଧି କରିଥିବା ସମ୍ବିତ ପାତ୍ର କହିଛନ୍ତି। ପ୍ରେସ୍ କନଫରେନ୍ସରେ ୩ଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସମ୍ବିତ ପାତ୍ର। ସେ କହିଛନ୍ତି, ହାଇକୋର୍ଟରେ ଦାଖଲ ରିପୋର୍ଟ ଦେଖିଲେ ଧୈର୍ଯ୍ୟଚ୍ୟୁତ୍ ଘଟୁଛି । ଯେଉଁ କାର୍ଯ୍ୟ ଚାଲିଥିଲା ଆଇନ ଅନୁସାରେ ଅନୁମତି ନ ଥିଲା। ବିନା ଅନୁମତିରେ ରାଜ୍ୟ ସରକାର ନିର୍ମାଣ କାମ କରୁଥିଲେ। ଏହା ବେଆଇନ ନୁହେଁ କି ? କିଏ ଉତ୍ତର ଦେବ ବୋଲି ପ୍ରଶ୍ନ କଲେ । ଦାଖଲ ରିପୋର୍ଟରେ ବାରମ୍ବାର ଡିପିଆର ବଦଳାଯାଉଥିବା ଉଲ୍ଲେଖ ଅଛି। ଯଦି ନିର୍ମାଣରେ ସନ୍ଦେହ ନ ଥିଲା କାହିଁକି ଡିପିଆର ବଦଳାଉଥିଲେ। ୧୦୦ ମିଟର ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ।୨୦୦ ମିଟର ରେଗୁଲେଟେଡ୍ ଏରିଆରେ ଅନୁମତି ନେଇ ନିର୍ମାଣ କରିହେବ। ମାତ୍ର ରିସେପସନ୍ ନିଷିଦ୍ଧାଞ୍ଚଳରୁ ରେଗୁଲେଟେଡ୍ ଏରିଆକୁ ସ୍ଥାନାନ୍ତର କରାଯାଇଥିବା ଉଲ୍ଲେଖ ଅଛି। ଏଥିରୁ ସ୍ପଷ୍ଟ ହୋଇଛି ରିସେପ୍ସନ୍ କାଉଣ୍ଟର ନିଷିଦ୍ଧାଞ୍ଚଳରେ କରୁଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ପୁରାତନ କୀର୍ତ୍ତିରାଜିକୁ ସଂରକ୍ଷଣ କରିବା ବଦଳରେ ଧ୍ୱଂସ କରାଯାଇଛି। କୀର୍ତ୍ତିରାଜି ଧ୍ୱଂସ କରିବା ବଡ଼ ପାପ। ଏଥିପାଇଁ ପ୍ରତି ଓଡ଼ିଆଙ୍କ ହୃଦୟ କାନ୍ଦୁଛି। ଓଡ଼ିଶା ସରକାରଙ୍କ ଏ କଳାପାହାଡ଼ ନୀତି କଣ ପାଇଁ ଆପଣେଇଲେ। ଏଥିପାଇଁ କିଏ ଦାୟୀ ରହିବ ବୋଲି ସିଧାସଳଖ ପଚାରିଛନ୍ତି ସମ୍ବିତ ପାତ୍ର। ଶ୍ରୀମନ୍ଦିର ପ୍ରକଳ୍ପ ନେଇ ସାଂସଦ ପିନାକୀ ମିଶ୍ର ଲୋକସଭାରେ ଦେଇଥିବା ମନ୍ତବ୍ୟକୁ ନାପସନ୍ଦ କରିବା ସହ ତାଙ୍କ ଉପରେ ମଧ୍ୟ ଗର୍ଜିଛନ୍ତି ସମ୍ବିତ ପାତ୍ର। ପ୍ରେସ୍ କନଫରେନ୍ସରେ ପିନାକୀ ମିଶ୍ରଙ୍କୁ କଡ଼ା ସମାଲୋଚନା କରି ସମ୍ବିତ ପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସ୍ଥଳରେ କେବଳ ୪ଟି ଟଏଲେଟ ନିର୍ମାଣ ହେଉଥିବା କଥା ସେ କହିଥିଲେ। ସେ ସଂସଦରେ ମିଛ କହିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ। ସମ୍ବିତ ପାତ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, କଳାପାହାଡିଆ ମନୋବୃତ୍ତି ରାଜ୍ୟ ସରକାରଙ୍କର ନାହିଁ । ଏହା ଏକ ଅବାନ୍ତର ଅଭିଯୋଗ । ଶ୍ରୀ ଜଗନ୍ନାଥ କ୍ଷେତ୍ର ଏବଂ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପାରିପାର୍ଶ୍ୱିକ ଉନ୍ନୟନ କିଭଳି ହୋଇପାରିବ ସେଥିପାଇଁ ସରକାର ଚେଷ୍ଟା କରୁଛନ୍ତି । ଏଭଳି ସ୍ଥାନଗୁଡ଼ିକ ମହତ୍ତ୍ୱ ବୃଦ୍ଧି ସହିତ ଲୋକଙ୍କ ଜୀବନ ଜୀବିକା କିଭଳି ସମୃଦ୍ଧ ହୋଇପାରିବ ସେଥିପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଦେବୀପ୍ରସାଦ ମିଶ୍ର । ସେହିପରି ଶ୍ରୀମନ୍ଦିର ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇ ର ସତ୍ୟପାଠକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ଯ୍ୟରୁ ରକ୍ଷା ପାଇବାକୁ ମହାପ୍ରଭୁ ଚେଷ୍ଟିତ ଅଛନ୍ତି। ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ଏଏସଆଇ ରିପୋର୍ଟରେ ରହିଛି। କୀର୍ତ୍ତିରାଜି ଉପରେ ଏହାର ପ୍ରଭାବ ପଡ଼ିବ ନ ନାହିଁ ଅନୁଧ୍ୟାନ ହୋଇନି ବୋଲି ଦର୍ଶାଯାଇଛି। ବଡ଼ ବଡ଼ ଗାତ ଖୋଳି ଚାଲିଥିବା ନିର୍ମାଣ କାର୍ଯ୍ୟ ନିମନ୍ତେ କୌଣସି ଅନୁମତି ପ୍ରଦାନ କରାଯାଇ ନାହିଁ। ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି। ଏହି ଅର୍ଥରେ ନିର୍ମାଣ ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ କରାଯାଇ ପାରିଥାନ୍ତା। ଯଦି କାଲି ନିର୍ମାଣ ବେଆଇନ ଘୋଷଣା ହୁଏ, ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ।
Home Breaking news ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଲେ ; ରାଜ୍ୟ ସରକାର ଭୁଲକୁ ସ୍ୱୀକାର କରନ୍ତୁ...