ବିଜେପି କହିଲା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରିବା ପଛରେ ରହିଛି ବିଜେଡିର ସୁପରିକଳ୍ପିତ ଯୋଜନା….!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ତିଳେଇବଣି ବ୍ଲକ୍ ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିବା ବେଳେ ଏହାକୁ ତୀବ୍ର ନିନ୍ଦା କରିଛି ବିଜେପି। ରାଜ୍ୟ ବିଜେପି ମୁଖ୍ୟପାତ୍ର ଗୋଲକ ବିହାରୀ ମହାପାତ୍ର କହିଛନ୍ତି ଯେ ବିଧାୟକଙ୍କୁ ଗିରଫ କରାଯିବା ପଛରେ ରହିଛି ବିଜେଡିର ସୁପରିକଳ୍ପିତ ଯୋଜନା। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଏହି ଘଟଣାରେ ପୁଲିସ୍ରେ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବିଧାୟକ ଆଗ ଏଫ୍ଆଇଆର ଦେଲେ। ତା’ପରେ ବିଡିଓ ଏଫ୍ଆଇଆର ଦେଲେ। ବିଧାୟକଙ୍କ ଏଫ୍ଆଇଆର ପୁଲିସ୍ ପାଖାପାଖି ଅପରାହ୍ଣ ଅଢ଼େଇଟା ବେଳେ ଗ୍ରହଣ କଲା। ନିଶ୍ଚିତ ଭାବେ ତା’ର କିଛି ସମୟ ପରେ ବିଡିଓଙ୍କ ଏଫ୍ଆଇଆର ଗ୍ରହଣ କରିଥିବ। ତା’ ହେଲେ ପୁଲିସ୍ କେତେବେଳେ ଘଟଣାର ତଦନ୍ତ କଲା ଓ ବିଧାୟକଙ୍କ ସଂପୃକ୍ତି ଅଛି ବୋଲି କିପରି ଜାଣିଲା। ଏଥିରୁ ଜଣାପଡ଼ୁଛି ବିଧାୟକଙ୍କୁ ଗିରଫ କରିବାକୁ ପୂର୍ବରୁ ଯୋଜନା ହୋଇଥିଲା। ବିଧାୟକଙ୍କୁ ବଦନାମ କରିବା ପାଇଁ ଏହା ହେଉଛି ବିଜେଡିର ଏକ ସୁପରିକଳ୍ପିତ ଯୋଜନା। ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ସ୍ଥାନୀୟ ସମସ୍ୟା ନେଇ ବିଡିଓଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ ବିଧାୟକ। କିନ୍ତୁ ପୂର୍ବ ଯୋଜନା ଅନୁଯାୟୀ ଆଲୋଚନା ପାଇଁ ବିଡିଓ ବିଧାୟକଙ୍କୁ ଗୋଟିଏ ପରେ ଗୋଟିଏ ଜାଗାକୁ ଡାକିଥିଲେ। କିନ୍ତୁ କୌଣସି ଠାରେ ଦେଖା କରୁ ନଥିଲେ। ଏନେଇ ବିଧାୟକ ତାଙ୍କୁ ପ୍ରଶ୍ନ କରିଥିଲେ। ବିଡିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ବିଧାୟକଙ୍କ କଲର ଧରିବା ସହିତ ମାରି ଦେବାକୁ ଧମକ ଦେଇଥିଲେ। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନି। ଓଲଟି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା। ବିଡିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯଦି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବ, ତା’ହେଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଧାୟକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ୍ ଦର୍ଶାଇଛି ବିଜେଡି। ଦଳର ମୁଖ୍ୟପାତ୍ର ଲେନିନ ମହାନ୍ତି କହିଛନ୍ତି, ଜଣେ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ନିନ୍ଦନୀୟ। ଆଇନ ଅନୁସାରେ ବିଧାୟକ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

