ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗୁଣପୁର ଠାରୁ ବିଶାଖାପାଟଣା, ପୁରୀ ଏବଂ ରାଉରକେଲା ନିମନ୍ତେ ରେଳ ବିଭାଗ ପକ୍ଷରୁ ଗାଡି ଚଳାଚଳର ବ୍ୟବସ୍ଥା ରହିଥିବା ବେଳେ ଏଠାରେ କିନ୍ତୁ ରାଜ୍ୟରାଣୀ ଟ୍ରେନ୍ ରେ ଯାତ୍ରୀ ଯିବା ନିମନ୍ତେ ଟିକେଟ ମେଳୁନଥିବାରୁ ଜନ ଅସନ୍ତୋଷ ଲାଗିରହିଛି । ଯାହାକି ଆଜି ଏହା ଜନ ଆନ୍ଦୋଳନର ରୂପ ନେଇଥିବା ଦେଖିବାକୁ ମିଳିଥିଲା। ରାଜଧାନୀ ସମେତ ଦକ୍ଷିଣାଞ୍ଚଳର ମୁଖ୍ୟ ବାଣିଜ୍ୟ ଓ ସ୍ୱାସ୍ଥ୍ୟ ସେବାର ପେଣ୍ଠସ୍ଥଳ ବ୍ରହ୍ମପୁର କୁ ଯିବା ନିମନ୍ତେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଜନ ସାଧାରଣ ଗୁଣପୁର ରେଳ ଷ୍ଟେସନ ଉପରେ ନିର୍ଭର କରିଥାଆନ୍ତି । ଅତ୍ୟାବଶ୍ୟକ ଜରୁରୀ କାର୍ଯ୍ୟ ଏବଂ ଚିକିତ୍ସା ନିମନ୍ତେ ଲୋକେ ଯିବାଜୁ ବାହାରୁଥିବା ବେଳେ ଗୁଣପୁର ଠାରେ ଟିକେଟ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯିବାକୁଥିବା ଯାତ୍ରୀ ରେଳ ବିଭାଗୀୟ ଟି.ଟି ଙ୍କ ଦ୍ଵାରା ଶୋଷିତ ହେଉଥିବା ଅଭିଯୋଗ ହେଉଛି । ବେଳେବେଳେ ଟିଟି ଯାତ୍ରୀଙ୍କୁ ସିଟ ଟିଏ ଦେବା ନିମନ୍ତେ ସାଧାରଣ ଭଡା ଠାରୁ ଦଶ ଗୁଣା ଭଡା ଦାବୀ କରୁଥିବା ଅଭିଯୋଗ ନେଇ ଆଜି ଯାତ୍ରୀ ମାନେ ଗୁଣପୁର ଠାରେ ଟିକେଟ ଦେବା ବ୍ୟବସ୍ଥା କରିବା ଦାବୀରେ ରାଜ୍ୟରାଣୀ ଗାଡିକୁ ଅଟକାଇ ରଖିଥିଲେ । ବହୁ ବାକ୍ୟ ବିତଣ୍ଡା ଓ ତର୍କ ବିତର୍କ ପରେ ଅନ୍ୟ ଯାତ୍ରୀ ଅସୁବିଧାରେ ନପଡ଼ନ୍ତୁ ବୋଲି କିଛି ସମୟ ପରେ ଗାଡି ଛାଡିବାକୁ ଦେଇଥିଲେ । ଏଠାରେ ଦେଖା ଦେଉଥିବା ଏଭଳି ସମସ୍ୟା ସହ ଫାଟକ ନିକଟରେ ଜମୁଥିବା ଟ୍ରାଫିକ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଷ୍ଟେସନ ମାଷ୍ଟର ବିଭାଗୀୟ ଅଧିକାରୀଙ୍କୁ କାହିଁକି ଅଵଗତ କରାଉନାହାନ୍ତି ବୋଲି ପ୍ରଶ୍ନ ଉଠିଛି । କିଛି ନାମିଦାମୀ ବ୍ୟକ୍ତି ନିଜକୁ ରେଳ ବୋର୍ଡର ସଦସ୍ୟ ଏବଂ ରେଳ ଉନ୍ନୟନ କମିଟିର ସଦସ୍ୟ କହି ସେମାନଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା କୁହାଯାଇଛି । ତେବେ ଏହି ସମସ୍ୟା ଉପରେ ସାଂସଦ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବୀ ହେଉଛି । ଏହା ନହେଲେ ଆଗାମୀ ଦିନରେ ଏଭଳି ସମସ୍ୟାକୁ ନେଇ ଏକ ବଡ ଧରଣର ଜନ ଆନ୍ଦୋଳନ ମୁଣ୍ଡ ଟେକିବା ସମ୍ଭାବନାକୁ ଦୁରେଇ ଦିଆଯାଇନପାରେ ।