ବିଜେଡି ଫେରିଲେ ପ୍ରଫୁଲ୍ଲ ଘଡାଇ: ଘରୁ ତଡି ଦେଇଥିଲେ, ଏବେ ଲୋଡା ପଡିଲେ
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିର୍ବାଚନ ପୂର୍ବରୁ ବହିଷ୍କୃତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ କଥା ମନେ ପଡିଲା ସୁପ୍ରିମୋଙ୍କୁ । ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କୃତ ଆଦେଶ ଉଠାଇଲେ ନବୀନ ପଟ୍ଟନାୟକ । ଏବେ ପୁଣି ବିଜେଡିକୁ ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ।
2014 ରେ ଦଳ ବିରୋଧି କାର୍ଯ୍ୟ ଏବଂ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି ଅରୁଚିକର ଟିପ୍ପଣୀ ଦେଇଥିବାରୁ ଦଳରୁ ବହିଷ୍କୃତ ହୋଇଥିଲେ ପ୍ରଫୁଲ୍ଲ । ସେହି ସମୟରେ ପ୍ରକାଶିତ ଖବର ଏତେ ମାତ୍ରାରେ ଆଲୋଡନ ସୃଷ୍ଟି କରିଥିଲା ଯେ, ଦଳର ବରିଷ୍ଠ ନେତାମାନେ ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ଅନେକ ଏବେ ସୁପ୍ରିମୋଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ତ ଆଉ କିଛିଙ୍କ ପାଇଁ ନବୀନଙ୍କୁ ନିର୍ବାଚନରେ ହାରିବାର ଭୟ ଘାରିଛି । କାରଣ ଏବେ ବିଜେଡିର ପ୍ରାୟ ସବୁ ପପୁଲାର ଚେହେରାରେ ଲାଗିଯାଇଛି କଳଙ୍କ । ଏଭଳି ସମୟରେ ଦଳକୁ ପୁରୁଣା ନେତା ଘଡାଇଙ୍କୁ ଡାକି ଆଣି ପୁଣି ଘର ଗଢିବାକୁ ଚେଷ୍ଟା କରିଛନ୍ତି ନବୀନ ।
ପ୍ରକାଶ ଯେ, ଶ୍ରୀ ଘଡାଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ କହିଥିଲେ “ନବୀନ ଭାରତରେ ଏକ ଆଶ୍ଚର୍ଯ୍ୟ । ନବୀନ କିଛି ନିଜେ କରନ୍ତି ନାହିଁ । ମେଣ୍ଟାଲି ଓ ଫିଜିକାଲି ସେ ଡଲ୍ । କେପିପିପି କବ୍ଜାରେ ଶାସନ ଚାଲିଛି… । ” କିଛି ଏଭଳି ମନ୍ତବ୍ୟ ଶ୍ରୀ ଘଡାଇ ଦେଇଥିବା ଦାବି କରିଥିଲା ଗଣମାଧ୍ୟମ । ଯାହାପରେ ରାଜ୍ୟ ରାଜନୀତିରେ ଆଲୋଡନ, ଚର୍ଚ୍ଚା, ବିବାଦ ଆରମ୍ଭ ହୋଇଥିଲା । ସବୁ ନେତାଙ୍କ ପରାମର୍ଶରେ ବିକୃତ ମାନସିକତାର ଆଖ୍ୟା ଦେଇ ଘଡାଇଙ୍କୁ ବହିଷ୍କୃତ କରିଦେଲେ ନବୀନ ।
ତେବେ ବର୍ତ୍ତମାନ ସବୁକିଛି ଭୁଲି ଘଡାଇଙ୍କ ଉପରୁ ବହିଷ୍କୃତ ଆଦେଶ ହଟାଇଛନ୍ତି ନବୀନ । ନିର୍ବାଚନ ପୂର୍ବରୁ ହଠାତ୍ ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତିକୁ ନେଇ ବିଜେଡି ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ସୁକିନ୍ଦାର ପଡୋଶୀ ନିର୍ବାଚନ ମଣ୍ଡଳୀ ଧର୍ମଶାଳାରୁ ଏଥର ପ୍ରଫୁଲ ଘଡେଇଙ୍କୁ ଦଳ ବିଜେଡିର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । ଧର୍ମଶାଳା ଆସନ ଏବେ ବିଜେଡି ହାତରେ ରହିଛି । ପ୍ରଣବ ବଳବନ୍ତରାୟ ଏବେ ଏଠିକାର ବିଧାୟକ ରହିଥିବା ବେଳେ ପ୍ରଫୁଲଙ୍କୁ ଦଳକୁ ଫେରାଇ ଆଣିବା ପରେ ଏବେ ଏପରି ଚର୍ଚ୍ଚା ବିଜେଡି ମହଲରେ ଜୋରଦାର ଚାଲିଛି ।

